ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ରେକର୍ଡ ବିଜୟ ସହ ଲଗାତାର ସପ୍ତମ ଥର ସରକାର ଗଢ଼ିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଜ୍ୟରେ ବିଜେପି ମୋଟ ୧୮୨ ଆସନ ମଧ୍ୟରୁ ୧୫୦ରୁ ଅଧିକ ଆସନ କବଜା କରି ଇତିହାସ ରଚିଛି । ଏଥିସହ ଦଳ କଂଗ୍ରେସର ରେକର୍ଡ ଭାଙ୍ଗିଛି । ମାଧବସିଂହ ସୋଲାଙ୍କିଙ୍କ ନେତୃତ୍ବରେ କଂଗ୍ରେସ ୧୯୮୫ ନିର୍ବାଚନରେ ୧୪୯ଟି ଆସନ ଜିତିଥିଲା ।
ସଦ୍ୟତମ ଟ୍ରେଣ୍ଡ ମୁତାବକ ୧୮୨ଟି ଆସନ ମଧ୍ୟରୁ ବିଜେପି ୨୦ଟିରେ ଜିତି ସାରିଥିବାବେଳେ ୧୩୮ଟି ଆସନରେ ଆଗୁଆ ରହିଛି । ଗୈରିକ ଦଳକୁ ମୋଟ ୧୫୮ଟି ଆସନ ମିଳିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ୨ଟି ସିଟ୍ ଜିତିଥିବା ବେଳେ ୧୪ ଟି ଆସନରେ ଅଗ୍ରଣୀ ରହିଛି । ଆମ୍ ଆଦମୀ ପାର୍ଟି ଯେମିତି ଦାବି କରିଥିଲା ସେମିତି ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ୫ଟି ଆସନରେ ଅଗ୍ରଣୀ ରହିଛି | ସମାଜବାଦୀ ପାର୍ଟି ଗୋଟିଏ ଆସନରେ ଆଗରେ ରହିଛି। ସ୍ୱାଧୀନ ପ୍ରାର୍ଥୀଙ୍କୁ ଦୁଇଟି ଆସନ ଯାଇଛି । ବିପୁଳ ବିଜୟ ପରେ ଗୁଜରାଟରେ ଏହାର ନୂଆ ସରକାରର ଶପଥ ଗ୍ରହଣ ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ ବୋଲି ବିଜେପି କହିଛି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ଟି ଆସନ ଜିତିଥିଲା ବେଳେ କଂଗ୍ରେସ ୭୭ଟି ଆସନ ପାଇଥିଲା।
ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ପରାଜୟର ସମ୍ମୁଖୀନ ହୋଇଛି । ସରକାର ପରିବର୍ତ୍ତନର ପରମ୍ପରାକୁ ରାଜ୍ୟବାସୀ ବଜାୟ ରଖିଛନ୍ତି । ହିମାଚଳ ପ୍ରଦେଶ ନିର୍ବାଚନରେ କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମୋଟ ୬୮ ଆସନରୁ କଂଗ୍ରେସ ଏଠାରେ ୩୮ଟି ଆସନରେ ଆଗୁଆ ରହି ସରକାର ଗଢ଼ିବା ଆଡ଼କୁ ଅଗ୍ରସର ହେଉଛି । ବିଜେପି ୨୭ ଟି ଆସନରେ ଆଗୁଆ ରହି କ୍ଷମତାରୁ ବିଦା ହେବାକୁ ଯାଉଛି। ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଅଗ୍ରଣୀ ରହିଛନ୍ତି । ହିମାଚଳରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୩୫ | ୨୦୧୭ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ହିମାଚଳ ବିଧାନସଭାର ୬୮ ଟି ସିଟ୍ ମଧ୍ୟରୁ ବିଜେପି ୪୪ ଟି ସିଟ୍ ଜିତିଥିଲା । କଂଗ୍ରେସ ୨୧ଟି ଆସନ ପାଇଥିଲା।