ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଜାନୁଆରୀ ୨୫ ତାରିଖରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି। ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ମୁସ୍କିଲ ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି। ଫଳରେ ଶାମି ଇଂଲଣ୍ଡ ବିପକ୍ଷ ସବୁ ଟେଷ୍ଟ ଖେଳି ନ ପାରିବାର ଆଶଙ୍କା ସୃଷ୍ଟି ହୋଇଛି।
ଇନସାଇଡ୍ ସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, ମହମ୍ମଦ ଶାମିଙ୍କୁ ଫିଟ୍ ହେବା ପାଇଁ ଅଧିକ ସମୟ ଲାଗିପାରେ। ଦକ୍ଷିଣ ଆଫ୍ରିକା ଗସ୍ତରେ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ଦାବି କରାଯାଇଥିଲା। ହେଲେ ପରେ ଜଣା ପଡ଼ିଥିଲା ଯେ ଶାମି ଆହତଜନିତ ସମସ୍ୟା ସହ ବିଶ୍ଵକପ୍ ଖେଳୁଥିଲେ। ଆହତ ସତ୍ଵେ ବି ସେ ଚମତ୍କାର ବୋଲିଂ କରିବା ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଥିଲେ।
ଆଉ ଏକ ରିପୋର୍ଟ ଅନୁଯାୟୀ, ମହମ୍ମଦ ଶାମି ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହୋଇ ପାରନ୍ତି। କାରଣ ଶାମି ଏ ପର୍ଯ୍ୟନ୍ତ ବୋଲିଂ ଅଭ୍ୟାସ୍ ଆରମ୍ଭ କରି ନାହାନ୍ତି। ତାଙ୍କୁ ନିଜର ଫିଟନେସ୍ ସାବ୍ୟସ୍ତ ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ବେଙ୍ଗାଲୁରୁ ଯିବାକୁ ପଡ଼ିବ। ଯଦି ଶାମି ନ ଖେଳନ୍ତି ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିପାରେ। ଏହି ସିରିଜରେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କ ସହ ମୁକେଶ କୁମାର ଓ ପ୍ରସିଦ୍ଧ କୃଷ୍ଣ ଦ୍ରୁତ ବୋଲର ଭାବେ ସ୍ଥାନ ପାଇବେ।