ନୂଆଦିଲ୍ଲୀ : ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ ତା’ର ଘରୋଇ ମାଟିରେ ୧୧୩ ରନରେ ପରାଜିତ କରିଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚର ବିଜୟ ସହିତ ୨-୦ରେ ଆଗୁଆ ରହି କବ୍ଜା କରିନେଇଛି। ୨ୟ ପାଳିରେ ମ୍ୟାଚ ଜିତିବାକୁ ଭାରତ ପାଇଁ ୩୫୯ ରନ ଆବଶ୍ୟକ ଥିବାବେଳେ ଦଳ ୨୪୫ ରନରେ ଅଲଆଉଟ୍ ହୋଇଯାଇଥିଲା।
୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୯ ରନ କରିଥିଲା। ଭାରତୀୟ ସ୍ପିନର ଓ୍ବାଶିଂଟନ ସୁନ୍ଦର(୭ଉଇକେଟ) ଏବଂ ରବିଚନ୍ଦ୍ରନ ଅଶ୍ଵିନ(୩ ଉଇକେଟ)ଙ୍କ ଚମତ୍କାର ବୋଲିଂ ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର କରିବାରେ ଅଟକାଇଥିଲା। ହେଲେ ଭାରତୀୟ ଦଳ ଏହାର ଫାଇଦା ଉଠାଇପାରି ନ ଥିଲେ। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଦଳ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯିବା ସହିତ ପ୍ରଥମ ପାଳିରେ ୧୦୩ ରନରେ ପଛୁଆ ରହିଥିଲା। ନ୍ୟୁଜିଲାଣ୍ଡ ବୋଲର ସାଣ୍ଟନର ସର୍ବାଧିକ ୭ ଉଇକେଟ୍ ନେଇଥିଲେ।
୨ୟ ପାଳିରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ୍ ୨୫୫ ରନ କରିବାରେ ସକ୍ଷମ ହୋଇଥିଲା। ଓ୍ବାଶିଂଟନ ସୁନ୍ଦର ୪ଟି, ରବୀନ୍ଦ୍ର ଜାଡେଜା ୩ଟି ଏବଂ ଅଶ୍ଵିନ ୨ଟି ଉଇକେଟ ନେଇଥିଲେ। ମ୍ୟାଚ ବିଜୟ ପାଇଁ ଭାରତକୁ ୩୫୯ ରନ ଦରକାର ପଡ଼ୁଥିଲା। ହେଲେ ୨ୟ ପାଳିରେ ଯଶଶ୍ଵୀ ଜୟସଓ୍ବାଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଜୟସଓ୍ବାଲ ୭୭ ଏବଂ ଜାଡେଜା ୪୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଟିମ ଇଣ୍ଡିଆର ଖେଳାଳିମାନେ ସାଣ୍ଟନରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ। ସାଣ୍ଟନର ୨ୟ ପାଳିରେ ୬ ଉଇକେଟ ନେଇ ନ୍ୟୁଜିଲାଣ୍ଡର ବିଜୟ ସହଜ କରିଦେଇଥିଲେ। ଭାରତ ୨୪୫ ରନରେ ଅଲଆଉଟ ହୋଇଯାଇଥିଲା।