ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି। ହମାସ ଏବଂ ହିଜବୁଲ ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ଇରାନ ଏବଂ ଏହାର ସମର୍ଥିତ ଗୋଷ୍ଠୀ ଇସ୍ରାଏଲ ଉପରେ ଡାଇରେକ୍ଟ ଆଟାକ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲେବାନନ ଏବଂ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଛି ଦୂତାବାସ।
ଭାରତୀୟ ଦୂତାବାସ ଇସ୍ରାଏଲରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ କହିବା ସହ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଲେବାନନର ରାଜଧାନୀ ବେରୁଟରେ ଥିବା ଭାରତୀୟ ଦୂତାବାସ, ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି।
ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ପଶ୍ଚିମ ଏସିଆ ଦେଶକୁ ନ ଯିବାକୁ କୁହାଯାଉଛି। ସେହିପରି ଭାରତୀୟଙ୍କୁ ମଧ୍ୟ ଲେବାନନ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଏପଟେ ଏୟାର ଇଣ୍ଡିଆ ଇସ୍ରାଏଲର ତେଲ୍ ଆଭିଭକୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ଅଗଷ୍ଟ 8 ପର୍ଯ୍ୟନ୍ତ ତେଲ୍ ଆଭିଭକୁ ଏୟାର ଇଣ୍ଡିଆର କୌଣସି ବିମାନ ଉଡ଼ିବ ନାହିଁ।