କଟକ : ବଢ଼ିଲା ଜୟନାରାୟଣଙ୍କ ଅଡ଼ୁଆ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ଥିବା ଦୁଇଟି ମାମଲାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଗୋଟିଏ ମାମଲାରେ ଆଗୁଆ ଜାମିନ ଖାରଜ ହୋଇ ଯାଇଥିବା ବେଳେ ଅନ୍ୟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଓଡିଶା ହାଇକୋର୍ଟ।
ମହିଳା ଆଇଆଇସି ଆକ୍ରମଣ ମାମଲାରେ ସମ୍ବଲପୁର ଟାଉନ ଥାନାରେ ରୁଜ୍ଜୁ ମାମଲାରେ ତାଙ୍କ ଆଗୁଆ ଜାମିନ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସେହିପରି ସମ୍ବଲପୁର ସଦର ତହସିଲଦାରଙ୍କୁ ଧମକ ଦେବା ଓ ଦୁର୍ବ୍ୟବହାର ନେଇ କ୍ଷେତରାଜପୁର ଥାନାରେ ମାମଲା ରୁଜ୍ଜୁ ହୋଇଥିଲା।
ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଅଭିଯୁକ୍ତ ତଳକୋର୍ଟରେ ଆତ୍ମସମର୍ପଣ କରି ନିୟମିତ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦେଵବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।