କଟକ : ଓଡିଶା ହାଇକୋର୍ଟ ଆସିବେ ନୂଆ ମୁଖ୍ୟ ବିଚାରପତି। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ସିଂ। ସୁପ୍ରିମକୋର୍ଟ କଲେଜିୟମ ଏହି ନିଯୁକ୍ତି ନେଇ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ସଂଜୟ କିଶନ କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ବୈଠକରେ ଆଲୋଚନା କରାଯାଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ ସିଂହଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତ ଅକ୍ଟୋବର ୩ ତାରିଖରେ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଖାଲି ରହିଛି। ଡ଼କ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୧୯୬୩ ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ (କ୍ୟାମ୍ପସ ଲ ସେଣ୍ଟର)ରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ୧୯୯୦ ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ନିଜ ନାମ ପଞ୍ଜୀକରଣ କରିଥିଲେ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଟନା ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମାମଲା ପରିଚାଳନା ପାଇଁ ଭାରତର ସିଏଜିଙ୍କ ତରଫରୁ ତାଙ୍କୁ ପ୍ୟାନେଲ କାଉନସେଲ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ମେଡିଏଟରର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ ଓ ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ନିଯୁକ୍ତି ପାଇଥିଲେ।
୨୦୧୦ ସେପ୍ଟେମ୍ବର ୧୮ରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ୨୦୧୦ ଡିସେମ୍ବରରେ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବିରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଏପ୍ରିଲ ୫ରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ୨୦୨୩ ଫେବ୍ରୁଆରି ୬ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ମିଳିଥିଲା। ବିଧି ବ୍ୟବସ୍ଥା ଅନୁଯାୟୀ ୨୦୨୫ ମସିହା ଜାନୁଆରୀ ୧୯ ତାରିଖରେ ସେ ଅଵସର ନେବେ।