ହାଇଦ୍ରାବାଦ : ତେଲଙ୍ଗାନା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଦଶ ବନ୍ଦେ ଭାରତ ଏକ୍ସପ୍ରେସ (ସିକନ୍ଦରାବାଦ-ତିରୁପତି)ର ଶୁଭାରମ୍ଭ କରିଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ଭଗବାନ ଭେଙ୍କଟେଶ୍ବରରୁ ତିରୁପତିକୁ ଯୋଡ଼ିବ । ତିନି ମାସ ଭିତରେ ତେଲଙ୍ଗାନାରେ ଆରମ୍ଭ ହୋଇଥିବା ଏହା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏହା ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଣ୍ଟା ହ୍ରାସ କରିବ । ଯାହାର ସିଧା ଫାଇଦା ତୀର୍ଥଯାତ୍ରୀ ଉଠାଇବେ ।
ସେହିପରି ପ୍ରଧାନମନ୍ତ୍ରୀ ତେଲଙ୍ଗାନାରେ ୧୧ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବେ । ଅଧିକାରୀଙ୍କ ସୂତ୍ରରୁ ସୂଚନା ଅନୁଯାୟୀ, ହାଇଦ୍ରାବାଦ ଫରେଡ୍ ଗ୍ରାଉଣ୍ଡରେ ଆୟୋଜନ ହୋଇଥିବା ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୨୦କୋଟି ଟଙ୍କାରେ ସିକନ୍ଦରାବାଦ ରେଳ ଷ୍ଟେସନର ପୂର୍ଣ୍ଣବିକାଶ ହେବ । ଏହି ରେଲଓ୍ବେ ଷ୍ଟେସନରେ ବିଶ୍ବସ୍ତରୀୟ ସୁବିଧା ରହିବ । ସେହିପରି ସିକନ୍ଦରାବାଦ- ମହେବୁବୁନଗର ପରିଯୋଜନାର ଦୋହରିକରଣ ଏବଂ ବିଦ୍ୟୁତକରଣ କାମକୁ ମଧ୍ୟ ରାଷ୍ଟ୍ରକୁ ସମର୍ପିତ କରିବେ । ୧୪୧୦ କୋଟି ବିନିମୟରେ ୮୫ କିଲୋମିଟର ରାସ୍ତାର ଦୋହରିକରଣ ହେବ । ସେହିପରି ୭ହଜାର ୮୫୦ କୋଟି ଟଙ୍କାରେ ଜାତୀୟ ରାଜପଥର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହି ରାସ୍ତା ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ସଡ଼କ ମାର୍ଗକୁ ମଜବୁତ କରିବ । ହାଇଦ୍ରାବାଦ କାର୍ଯ୍ୟାକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁ ଗସ୍ତରେ ଯିବେ ।