ମହୀଶୂର: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନା ଓ ତାଙ୍କ ସାଂସଦ ପୁଅ ପ୍ରଜ୍ବଳ ରେଭାନ୍ନାଙ୍କ ବିରୋଧରେ ଅପହରଣ ନେଇ ନୂଆ ମାମଲା ରୁଜୁ ହୋଇଛି। ଗୁରୁବାର ରାତିରେ ଏହି ମାମଲା ପଞ୍ଜିକୃତ ହୋଇଥିବା ପୋଲିସ କହିଛି।
ହାସନ ଜିଲ୍ଲାର ହୋଲେନାରସିପୁରା ଆସନରୁ ଜନତା ଦଳ (ସେକ୍ୟୁଲାର) ବିଧାୟକ ଏଚଡି ରେଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ବଡ଼ ଭାଇ।
ହାସନରୁ ଦଳର ବର୍ତ୍ତମାନର ସାଂସଦ ଥିବା ପ୍ରଜ୍ବଳ ରେଭାନ୍ନାଙ୍କ ବିରୋଧରେ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଛନ୍ତି।
ଚଳିତ ଲୋକସଭା ନିର୍ବାଚନରେ ପ୍ରଜ୍ବଳ ରେଭାନ୍ନା ହାସନ ଆସନରୁ ଏନଡିଏ ପ୍ରାର୍ଥୀ ଥିଲେ । ଏହି ଆସନରେ ଏପ୍ରିଲ ୨୬ରେ ମତଦାନ ହୋଇଥିଲା।
ହୋଲେନାରସିପୁରା ପୋଲିସ ଥାନାରେ ବାପାପୁଅଙ୍କ ବିରୋଧରେ ପୂର୍ବରୁ ଏକ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ତେବେ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ ସୂଚନା ଅନୁଯାୟୀ ଗୁରୁବାର ରାତିରେ ଉଭୟଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି।
ଗୁରୁବାର ରାତିରେ ରୁଜୁ ହୋଇଥିବା ଏହି ନୂଆ ମାମଲାରେ ମହୀଶୂର ଜିଲ୍ଲାର କୃଷ୍ଣରାଜ ନଗରରେ ରହୁଥିବା ୨୦ ବର୍ଷୀୟ ଯୁବକ ଅଭିଯୋଗ କରିଛନ୍ତି ଯେ ରେଭାନ୍ନା ତାଙ୍କ ମାଙ୍କୁ ଅପହରଣ କରି ନେଇଛନ୍ତି।
ଯୁବକ ଜଣକ କହିଛନ୍ତି, ୬ ବର୍ଷ ତଳେ ତାଙ୍କ ମା ହୋଲେନାରସିପୁର ସ୍ଥିତ ରେଭାନ୍ନାଙ୍କ ଘରେ କାମ କରୁଥିଲେ। ତିନି ବର୍ଷ ପୂର୍ବେ ସେ କାମ ଛାଡ଼ି ନିଜ ସହରକୁ ଫେରି ଆସିଥିଲେ। ପାଞ୍ଚ ଦିନ ପୂର୍ବେ ରେଭାନ୍ନାଙ୍କ ସହଯୋଗୀ ସତୀଶ ବାବନ୍ନା ତାଙ୍କ ଘରକୁ ଆସି କହିଥିଲେ କି ପୋଲିସ ପଚରାଉଚରା ପାଇଁ ଆସିପାରେ । ପୋଲିସକୁ କିଛି ନ କହିବାକୁ ଚେତାବନୀ ଦେଇଥିଲା।
ଅଭିଯୋଗକାରୀ କହିଛନ୍ତି, “ଏପ୍ରିଲ ୨୯ ତାରିଖ ରାତି ପ୍ରାୟ ୯ଟା ବେଳେ ସତୀଶ ବାବନା ଆମ ଘରକୁ ଆସି କହିଥିଲେ ଯେ ଯଦି ତୁମ ମା ଧରାପଡ଼ନ୍ତି ତେବେ ତୁମେ ଅସୁବିଧାରେ ପଡ଼ିବ ଏବଂ ସମସ୍ତଙ୍କୁ ଜେଲ ଯିବାକୁ ପଡିପାରେ। ରେଭାନ୍ନା ମୋ ମାଙ୍କୁ ଆଣିବାକୁ କହିଛନ୍ତି ବୋଲି ବାବନା କହିଥିଲେ। ଏହା ପରେ ସେ ମୋ ମାଙ୍କୁ ବାଇକରେ ନେଇ ଯାଇଥିଲେ।”
ତାଙ୍କ ମାଆଙ୍କୁ କେଉଁଠିକୁ ନିଆଯାଇଛି ସେ ଜାଣି ନାହାଁନ୍ତି। ତେବେ ମେ ୧ରେ ତାଙ୍କର ଜଣେ ସାଙ୍ଗ କଲ୍ କରି ତାଙ୍କ ମାଙ୍କୁ ଦଉଡ଼ିରେ ବାନ୍ଧି ପ୍ରଜ୍ବଳ ରେଭାନ୍ନା ବଳାତ୍କାର କରୁଥିବା ଏକ ଭିଡ଼ିଓ ସାମ୍ନାକୁ ଆସିଛି ବୋଲି କହିଥିଲେ ବୋଲି ଯୁବକ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି।