ଭୁବନେଶ୍ବର : ଆସନ୍ତା ୧୨ ତାରିଖରୁ ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓସିଏ କାର୍ଯ୍ୟାଳୟରେ ବସିଥିବା ଚୟନ ସମିତି ବୈଠକରେ ଟି-୨୦ ଦଳର ଅଧିନାୟକ ଅଭିଷେକ ରାଉତଙ୍କୁ ଦିନିକିଆ ଦଳର ନେତୃତ୍ବ ମଧ୍ୟ ଦିଆଯାଇଛି। ସେହିପରି ଦଳରେ ବରିଷ୍ଠ ଖେଳାଳିଙ୍କୁ ବାଦ୍ ଦିଆଯାଇ ଏକ ଯୁବ ଦଳ ଉପରେ ଭରସା କରାଯାଇଛି। ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ବିପ୍ଲବ ସାମନ୍ତରାୟ, ସୁଜିତ ଲେଙ୍କା, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଭଳି ଖେଳାଳିଙ୍କୁ ଏଥର ଦିନିକିଆ ଦଳରେ ନିଆଯାଇନାହିଁ।
ଯାଜପୁରର ଅମିନ୍ ଇକ୍ବାଲ୍ ଖାନ୍ ଓ ଢେଙ୍କାନାଳର ମୁସ୍ତାକ ବେଗ୍ଙ୍କ ସହିତ ଅନେକ କନିଷ୍ଠ ଖେଳାଳି ବରିଷ୍ଠ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଗ୍ରୁପ୍ ଡି’ରେ ସ୍ଥାନ ପାଇଥିବା ଓଡ଼ିଶା ୧୨ ତାରିଖରେ ଉତ୍ତରାଖଣ୍ଡ, ୧୩ରେ ନାଗାଲାଣ୍ଡ, ୧୫ରେ ମଧ୍ୟପ୍ରଦେଶ, ୧୭ରେ ବରୋଦା, ୧୯ରେ ଜମ୍ମୁ କାଶ୍ମୀର ଓ ୨୧ ତାରିଖରେ ପଞ୍ଜାବ ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରତିଯୋଗିତାକୁ ଯିବା ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଝାଡ଼ଖଣ୍ଡ ସହିତ ଓଡ଼ିଶା ଆସନ୍ତା ଗୁରୁବାର ଓ ଶୁକ୍ରବାର ଦୁଇଟି ଦିନିକିଆ ଅଭ୍ୟାସ ମ୍ୟାଚ୍ ଖେଳିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।
ଦଳ: ଅଭିଷେକ ରାଉତ (ଅଧିନାୟକ), ରାଜେଶ ଧୂପର ଓ ପ୍ରବୀଣ ଲୁହା (ୱିକେଟ ରକ୍ଷକ), ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ଅଂଶୁମାନ ରଥ, କାର୍ତ୍ତିକ ବିଶ୍ବାଳ, ଅମିନ୍ ଇକ୍ବାଲ୍ ଖାନ୍, ପ୍ରୟାସ ଠାକୁର, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରିଣୀ ସ’, ମୁସ୍ତାକ ବେଗ୍, ଜୟନ୍ତ ବେହେରା, ସୌରଭ କାନୋଜିଆ, ରାକେଶ ପଟ୍ଟନାୟକ।