ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଆଜି ସ୍ଥାନାନ୍ତର କରାଯାଇଛି। ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ କରାଯାଇ ଭିତର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସେଠାକୁ ସ୍ଥାନାନ୍ତର କରାଯାଇଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା ଥିଲା। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ୧୧ ଜଣ ଟିମ୍ ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ ଓ ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା।
ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ସଂପୂର୍ଣ୍ଣ କରି ବାହାରକୁ ଆସିବା ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ମୋଟ ୩ଟି ସିନ୍ଦୁକ ଓ ୪ଟି ଆଲମାରୀ ଥିଲା। ୪ଟି ଆଲମିରା ମଧ୍ୟରୁ ୩ଟି କାଠର ଓ ଗୋଟିଏ ଷ୍ଟିଲର। ସେହିଭଳି ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମିରା ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର କରାଯାଇଛି। କିଛି ଆଲମିରା ଓ ସିନ୍ଦୁକରେ ତାଲା ପଡ଼ିଥିଲା। ସେଗୁଡ଼କର ଚାବି କାହା ପାଖରେ ନଥିଲା। ତେଣୁ ତାଲା ଭାଙ୍ଗି ଦିଆଯାଇଥିଲା। ଯେଉଁ ସିନ୍ଦୁକ ଓ ଆଲମିରାରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ନୂଆ ଆଲମିରାରେ ରଖାଯାଇଥିଲା। ଏସ୍ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ରତ୍ନ ଭଣ୍ଡାର ଭିତରକୁ ଯାଇଥିବା ସଦସ୍ୟ ଓ ଭଣ୍ଡାର ମେକାପ ମିଶି ସ୍ଥାନାନ୍ତର କରିଥିଲେ ଭିତର ରତ୍ନଭଣ୍ଡାରର ଅଳଙ୍କାର। ଭିତର ରତ୍ନ ଭଣ୍ଡାର ଭିତରେ ଏବେ ଖାଲି ସିନ୍ଦୁକ ଓ ଆଲମିରା ରହିଛି । ସେସବୁକୁ ତାଲା ପକାଯାଇଛି।
ତେବେ ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର କ’ଣ ସବୁ ଅଳଙ୍କାର ଅଛି,ସେ ନେଇ ସୂଚନା ଦେଇ ନାହାନ୍ତି ଜଷ୍ଟିସ ରଥ। ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆପଣଙ୍କ ଘରେ କଣ ଅଳଙ୍କାର ଅଛି, ଆପଣ କାହାକୁ କହିନଥାନ୍ତି। ସେମିତି ମହାପ୍ରଭୁଙ୍କର କ’ଣ ଅଳଙ୍କାର ଅଛି, ତାକୁ ପ୍ରକାଶ କରିବୁ ନାହିଁ। ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ। ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ।