ପୁରୀ : ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ୪୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ । ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ। ପଞ୍ଚୁକର ୫ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷ ୫ଟି ବେଶ ଦର୍ଶନ କରିବେ ହବିଷ୍ୟାଳି ଓ ଭକ୍ତ। ବିଶ୍ବାସ ରହିଛି ମାସସାର ବ୍ରତ ରଖି ଯେତିକି ପୂଣ୍ୟ ମିଳିଥାଏ , ପଞ୍ଚୁକ ପାଞ୍ଚ ଦିନ ବ୍ରତ ରଖିଲେ ଅଧିକ ପୂଣ୍ୟ ମିଳିଥାଏ।
ତେଣୁ ଗୁରୁବାର ବଡ଼ ଏକାଦଶୀଠାରୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଞ୍ଚଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜି ଓ ଏସପି ପ୍ରସ୍ତୁତିର ସ୍ତିତି ପରଖିଛନ୍ତି।
ମନ୍ଦିର ଭିତରେ ଏବଂ ବାହାରେ ବୁଲି ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ହେବ ସେନେଇ ଗୁରୁତ୍ବ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବ ଶ୍ରୀକୃଷ୍ଣ ସିନେମା ଗଳି ନିକଟରେ ୪ଟି ଏବଂ ଦୋଳବେଗୀ କୋଣ ନିକଟରେ ୮ଟି ଏପରି ମୋଟ ୧୨ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ। ସେହିପରି ବଡ଼ଦାଣ୍ଡରେ ସିଂହଦ୍ବାରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ପଞ୍ଚୁକ ସମୟରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।