ନୂଆଦିଲ୍ଲୀ : ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ରୁଷର କଜନଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଥିପାଇଁ ଭାରତକୁ ନିମନ୍ତ୍ରଣ ପଠାଇଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି। ଚଳିତ ସମ୍ମିଳନୀର ଥିମ ରହିଛି ‘ବୈଶ୍ଵିକ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦକୁ ମଜଭୁତ କରିବା’।
ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ହୋଇଥିବା ହୋଇଥିବା ବ୍ରିକ୍ସ ସଂଗଠନକୁ ପରିବର୍ଦ୍ଧିତ କରାଯାଇ ଆଉ ୪ଟି ଦେଶକୁ ସାମିଲ କରାଯାଇଛି। ଏହି ଦେଶଗୁଡ଼ିକ ହେଲା ଇଜିପ୍ଟ,, ଇଥିଓପିଆ, ଇରାନ ଏବଂ ୟୁଏଇ। ବିଶ୍ଵସ୍ତରରେ ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା ସମ୍ମିଳନୀ ଏକ ଲକ୍ଷ୍ୟ। ତେବେ ଏହି ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ଅନ୍ୟ ଦେଶଗୁଡ଼ିକ ସହିତ ଦ୍ଵିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।