ଭୁବନେଶ୍ୱର:ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇଛି । ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆକାଉଣ୍ଟକୁ ଯାଇଛି । ବଟନ ଟିପି ଜନତା ମଇଦାନରେ ସ୍ୱତନ୍ତ୍ର ଉତ୍ସବରେ ମୋଦୀ ଏହି ଶୁଭାରମ୍ଭ କରିଛନ୍ତି । ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବା ସହ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ । ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ଟଙ୍କା।
ସୁଭଦ୍ରା ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳ, ଆବାସ ସହ ଅନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ୧ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଲାଭ ମିଳିବ ବୋଲି ଆୟୋଜିତ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଏଯାଏଁ ୭୨ ଲକ୍ଷ ଆବେଦନକାରୀ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହାସହ ୨୬ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇଛନ୍ତି । ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ୧ ହଜାର କୋଟି ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ରଘୁବର ଦାସ, ୨ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି।