ନୂଆଦିଲ୍ଲୀ : ଆଜି ତ୍ରିପୁରା ଓ ମେଘାଳୟ ଗସ୍ତରେ ଯାଇ ୬ ହଜାର ୮ ଶହରୁ ଊର୍ଦ୍ଧ୍ବ କୋଟି ଟଙ୍କାର ପ୍ରକଳ୍ପର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ । ଗୃହ, ସଡକ, କୃଷି, ଟେଲିକମ୍, ଆଇଟି, ପର୍ଯ୍ୟଟନ ଏବଂ ହସ୍ପିଟାଲିଟି ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏଥିସହ ସିଲଂରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସ୍ବର୍ଣ୍ଣିମ ଜୟନ୍ତୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ୧୯୭୨ ନଭେମ୍ବର ୭ ତାରିଖରେ ଏହି ପରିଷଦକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ‘ଉତ୍ତରପୂର୍ବାଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ମୁଖ୍ୟ ଭୂମିକା ରହିଛି । ଏଥି ସହ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟକୁ ମଧ୍ୟ ଏନଇସି ସମର୍ଥନ କରିଛି ।
ଆଜି ସକାଳ ୧୦ଟା ୩୦ ସମୟରେ ସିଲଂରେ ଥିବା ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ହେବାକୁ ଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ପରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ପ୍ରାୟ ୨୪୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ୪ଜି ମୋବାଇଲ ଟାଓ୍ବାର ଉତ୍ସର୍ଗ କରିବେ ମୋଦି । ବର୍ତ୍ତମାନ ସୁଦ୍ଧା ୩୨୦ରୁ ଅଧିକ ଟାଓ୍ବାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୮୯୦ଟି ଟାଓ୍ବାରର ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ଉମସୱାଲିରେ ଆଇଆଇଏମ ସିଲଂର ଏକ ନୂଆ କ୍ୟାମ୍ପସ, ଶୀଲଙ୍ଗ-ଡିଏଙ୍ଗପାସୋ ଓ ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ଚାରୋଟି ସଡକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଛତୁ ଉତ୍ପାଦନକାରୀଙ୍କ ପାଇଁ ସ୍ପନ୍ ଲାବୋରେଟୋରୀ ଓ ଛତୁ ଉତ୍ପାଦନ କେନ୍ଦ୍ରର ଉଦଘାଟନ କରିବେ । ମିଜୋରାମ, ମଣିପୁର, ତ୍ରିପୁରା ଏବଂ ଆସାମରେ ୨୧ଟି ହିନ୍ଦୀ ଲାଇବ୍ରେରୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।