ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ମହାରାଷ୍ଟ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଏସଆଇଟି ଗଠନ କରି ବଜେଟ ଅଧିବେସନ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଘୋଷଣା କରିଛନ୍ତି । ଫାଷ୍ଟ-ଟ୍ରାକ ଚଲାଇ ଅଭିଯୁକ୍ତକୁ କଡ଼ା ସଜା ପ୍ରଦାନ କରିବା ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କଠାରେ ମଧ୍ୟ ମହାରାଷ୍ଟ୍ର ସରକାର ଦାବୀ କରିବ । ଅନ୍ୟପଟେ ଅଭିଯୁକ୍ତକୁ ଫାଶି ଦେବା ପାଇଁ ବିରୋଧୀ ଦଳ ନେତା ଅଜିତ ପାୱାର ଦାବୀ କରିଛନ୍ତି ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ, ଅଭିଯୋଗ ଫେରାଇ ନେବା ପାଇଁ ଶ୍ରଦ୍ଧାଙ୍କ ଉପରେ ରାଜୈତିକ ଚାପ ପଡ଼ିନଥିବା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇଯାଇଛି । ଆମେ ମାମଲାର ଯାଞ୍ଚ କରୁଛୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃ ଧର୍ମ ବିବାହକୁ ବିରୋଧ କରାଯିବନି । ଅନ୍ୟ ରାଜ୍ୟରେ ଲଭ ଜିହାଦକୁ ନେଇ ଆଇନ ପ୍ରସ୍ତୁତ କରାଯାଇଛି । ସେସବୁ ଆଇନକୁ ଅଧ୍ୟୟନ କରିବା ପରେ ଯଦି ଆବଶ୍ୟକ ପଡ଼େ ତେବେ ରାଜ୍ୟ ସରକାର ନିର୍ଣ୍ଣୟ ନେବେ ଯଦ୍ୱାରା କୌଣସି ମହିଳା ଏହାର ଶିକାର ହେବେନି ।