ନୂଆଦିଲ୍ଲୀ : ସାପ ବିଷ ମାମଲାରେ ଗ୍ ବସ୍ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କୁ ଗିରଫ କଲା ପୁଲିସ । ତାଙ୍କୁ ଖୁବ୍ ଶୀଘ୍ର କୋର୍ଟରେ ହାଜର କରାଯିବ । ଗତ ବର୍ଷ ସେକ୍ଟର ୩୯ରେ ନୋଏଡା ପୁଲିସ ଏହି ମାମଲାରେ ଅଭିଯୋଗ ପାଇଥିଲା । ଆଜି ଏଲଭିଶ୍ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରିଥିଲା ପୁଲିସ । ଏଲଭିଶଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ।
ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ନମୁନାର ଏଫଏସଏଲ୍ ରିପୋର୍ଟରେ କୋବ୍ରା କ୍ରେଟ୍ ପ୍ରଜାତିର ସାପ ବିଷ ମିଳିଥିଲା । ଗତ ବର୍ଷ ନଭେମ୍ବରରେ ନୋଏଡା ପୁଲିସ ବଡ ଖୁଲାସାକରି ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ସେ ସାପ ବିଷ ବିକିବା ସହ ରେଭ୍ ପାର୍ଟି ଆୟୋଜିତ କରୁଥିଲେ ଯେଉଁଥିରେ ଯୁବପିଢିମାନେ ସ୍ନେକ ବାଇଟ୍ ନେଉଥିଲେ ।
ଏଲଭିଶଙ୍କ ପାଇଁ କାମ କରୁଥିବା ୫ ଜଣଙ୍କୁ ପୁଲିସ ଧରିଥିଲା ଯେଉଁମାନଙ୍କ ଠାରୁ ଏକ ବୋତଲରେ ୨୦ ମିଲିଲିଟର ସାପ ବିଷ ମିଳିଥିଲା ଏବଂ ୯ଟି ସାପ ଜବତ ହୋଇଥିଲା । ଏଥିରେ ୫ ନାଗ, ଗୋଟିଏ ଅଜଗର,୨ଟି ଦୁଇ ମୁହଁ ଥିବା ସାପ ଏବଂ ଗୋଟିଏ ରାଟ୍ ସ୍ନେକ୍ ମଧ୍ୟ ଥିଲା । ସେମାନେ ଏଲଭିଶଙ୍କ ପାଇଁ କାମ କରନ୍ତି ଏବଂ ରେଭ୍ ପାର୍ଟି ପାଇଁ ସେମାନେ ଏଲଭିଶଙ୍କୁ ସାପ ବିଷ ବିତରଣ କରୁଥିବା ସ୍ବୀକାର କରିଥିଲେ । ତେବେ ଆଜି ଏଲଭିଶଙ୍କୁ ଗିରଫ କରାଯାଇଛି ।