ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି ୨ୟ ସୋଆ ସାହିତ୍ୟ ଉତ୍ସବ-୨୦୨୩ । ଏହି ଉତ୍ସବକୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ରାୟ ଉଦ୍ଘାଟନ କରିବା ସହ ବିଶିଷ୍ଟ ଅଭିନେତ୍ରୀ ଦିବ୍ୟା ଦତ୍ତ,ସମାଜତତ୍ତ୍ବବିତ୍ ଓ ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ ଓ ସଚିବ କେ. ଶ୍ରୀନିବାସ ରାଓ ଉପସ୍ଥିତ ରହିବେ । ଏହି ଅବସରରେ କଳା ଓ ସାହିତ୍ୟ ସହିତ ସମ୍ପୃକ୍ତ ଓଡ଼ିଶାର ୧୧ ଜଣ ବିଶିଷ୍ଟ ସାହିତ୍ୟ ମହାରଥୀଙ୍କୁ ‘ସୋଆ ସାହିତ୍ୟ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯିବ । ସମ୍ମାନିତ ପ୍ରତ୍ୟେକ ସାହିତ୍ୟିକଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ଦେବୀ ସରସ୍ୱତୀଙ୍କ ପ୍ରତିକୃତି ପ୍ରଦାନ କରାଯିବ ବୋଲି ବୋଲି ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି ।
ସମ୍ମାନିତ ହେବାକୁ ଥିବା ପ୍ରତିଭାମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରତିଷ୍ଠିତ କାହାଣୀକାର ଅଚ୍ୟୁତାନନ୍ଦ ପତି, ଗାଳ୍ପିକ, ବିଶିଷ୍ଟ ଔପନ୍ୟାସିକ ଓ ସମ୍ପାଦକ ଡ. ସାତକଡ଼ି ହୋତା, ପ୍ରସିଦ୍ଧ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ପ୍ରଖ୍ୟାତ କବି ଓ କଥାକାର ପଦ୍ମଭୂଷଣ ରମାକାନ୍ତ ରଥ, ବରିଷ୍ଠ ଅନୁବାଦକ ଓ କବି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍ଗାତା, ପ୍ରଥିତଯଶା କବି, ଗାଳ୍ପିକ, ନାଟ୍ୟକାର ଓ କଳାକାର ଡ. ଜଗନ୍ନାଥ ପ୍ରସାଦ ଦାସ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଦାଶରଥୀ ଦାସ, ବିଶିଷ୍ଟ ନାଟ୍ୟବିତ୍, ନିର୍ଦ୍ଦେଶକ ଓ ଅଭିନେତା ଡ. ଅନନ୍ତ ମହାପାତ୍ର, ପ୍ରଖ୍ୟାତ କବି, ସାହିତ୍ୟ ସମାଲୋଚକ ଓ ଅନୁବାଦକ ପଦ୍ମବିଭୂଷଣ ଜ୍ଞାନପୀଠ ବିଜେତା ଡ. ସୀତାକାନ୍ତ ମହାପାତ୍ର ଏବଂ ଲୋକପ୍ରିୟ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ଡ. ବିଭୂତି ପଟ୍ଟନାୟକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ମର୍ଯ୍ୟାଦାସମ୍ପନ୍ନ ପଦ୍ମ ସମ୍ମାନରେ ପୁରସ୍କୃତ ପ୍ରତିଭା ଏବଂ ସମସ୍ତେ ଜ୍ଞାନୀଗୁଣୀ ଓ ଅନନ୍ୟ ପ୍ରତିଭାର ଅଧିକାରୀ ।
ଓଡ଼ିଆ ସାହିତ୍ୟର ଏହି ପ୍ରଚଣ୍ଡ ପ୍ରତିଭାମାନଙ୍କୁ ଉତ୍ସବର ଉଦ୍ଘାଟନୀ ପର୍ବରେ ଏକ ବିଶେଷ ଆସରରେ ସମ୍ମାନିତ କରାଯିବ । ସେମାନଙ୍କ ଉପସ୍ଥିତ ଅନ୍ୟତମ ଆକର୍ଷଣ ହେବ । ସାହିତ୍ୟ ଜଗତର ଏହି ମହାରଥୀମାନେ ଏହିଭଳି ଏକ ମହାର୍ଘ୍ୟ ଉତ୍ସବରେ ଗୋଟିଏ ମଞ୍ଚରେ ଏକାଠି ହେବା ନିଶ୍ଚିତ ଭାବରେ ବିରଳ । ସମସ୍ତଙ୍କୁ ଏକାଠି କରି ସୋଆ ସେମାନଙ୍କ ପାଦ ପୂଜା କରି ପୂଜ୍ୟ ପ୍ରଣାମ ଜଣାଇବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରାଚୀନ (ସୋଆ ସେଣ୍ଟର ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ୍ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଣ୍ଟ କଲ୍ଚର୍ ଆଣ୍ଡ୍ ହେରିଟେଜ୍ ଅଫ୍ ଇଣ୍ଡିଆ) ଦ୍ୱାରା ଶୁକ୍ରବାରଠାରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଆୟୋଜିତ ଏହି ଉତ୍ସବ ଦେଶର ୧ନଂ ବିଶ୍ୱବିଦ୍ୟାଳୟ ସୋଆ କ୍ୟାମ୍ପସ୍-୨ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏହି ବିଶାଳ ଉତ୍ସବକୁ ଉଦ୍ଘାଟନ କରିବେ ପ୍ରଖ୍ୟାତ ସାରସ୍ୱତ ସାଧିକା ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଭୂଷଣ ଡ. ପ୍ରତିଭା ରାୟ । ଡ. ରାୟଙ୍କ କରକମଳରେ କବି, ଲେଖକଙ୍କୁ ମୁକ୍ତ ଆଲୋଚନା ପାଇଁ ଆହ୍ୱାନ ଜଣାଇ ଏ ସାରସ୍ୱତ ମଞ୍ଚ ଲୋକାର୍ପିତ ହେବ । ତାଙ୍କ ସହିତ ମଞ୍ଚରେ ଆସୀନ ରହିବେ ଅଭିନେତ୍ରୀ ଓ କଥାକାର ଦିବ୍ୟା ଦତ୍ତା, ସାମାଜିକ ତତ୍ତ୍ୱଜ୍ଞ ତଥା ସମାଲୋଚକ ଆଶିଷ ନନ୍ଦୀ, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ ଏବଂ ସଚିବ କେ. ଶ୍ରୀନିବାସ ରାଓଙ୍କ ଭଳି ପରିଚିତ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ।
‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ: ସମ୍ଭାବନା ଓ ଆହ୍ୱାନ’ ବିଷୟକୁ ନେଇ ତିନିଦିନିବ୍ୟାପୀ ଏହି ସାହିତ୍ୟ ଉତ୍ସବରେ ୬୦ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷ୍ୟକାର, ଭାଷାବିତ୍, ଗବେଷକ, ସାମ୍ବାଦିକ ଓ ଚିତ୍ରକର ସାମିଲ ହେବେ । ସେମାନେ ଓଡ଼ିଶା ସମେତ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ମତ ରଖିବେ । ଦେଶର ୨୪ରୁ ୨୧ଟି ଭାଷାର ୨୫୦ରୁ ଊଦ୍ଧ୍ୱର୍ ବକ୍ତା ବକ୍ତବ୍ୟ ରଖିବେ । ଓଡ଼ିଶା ବାହାରୁ ୭୫ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ । ଉଭୟ ଓଡ଼ିଆ ଓ ଇଂରାଜୀରେ ସକାଳ ୧୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଅଧିବେଶନ ଚାଲିବ । ପ୍ରତି ସମୟରେ ଏକକାଳୀନ ୩ଟି ସଭାଗୃହରେ ୩ଟି ଅଧିବେଶନ ୨ଟି ଭାଷାରେ ଚାଲିବ ।
ଏହି ଆଲୋଚନା ଅଧିବେଶନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଏ. କ୍ରିଷ୍ଣା ରାଓ, ଏ. ରେବତୀ, ଅନାମିକା, ଅନୀଲ ବୋଡୋ, ଅଶ୍ୱିନୀ କୁମାର, ଅତୁଲ ତିୱାରୀ, ଚନ୍ଦ୍ରହାସ ଚୌଧୁରୀ, ଦାମୋଦର ମାଜୋ, ଦେବେନ୍ଦ୍ର ଏସ୍. ମଙ୍ଗଳାମୁଖୀ, ଏରା ତକ୍, ଗିରିଶ କସରଭାଲ୍ଲୀ, ହେମନ୍ତ ଡିଭାଟେ, ହୋଶାଙ୍ଗ ମର୍ଚ୍ଚାଣ୍ଟ, ମହୁଆ ସେନ୍, ମାନବୀ ବନ୍ଦୋପାଧ୍ୟାୟ, ମନୋରଞ୍ଜନ ବ୍ୟାପାରୀ, ମୃତ୍ୟୁଞ୍ଜୟ କୁମାର ସିଂ, ପ୍ରବଳ କୁମାର ବାସୁ, ପ୍ରୀତି ସେନୟ, ସଲମା, ସୋମା ବନ୍ଦୋପାଧ୍ୟାୟ, ସୁବୋଧ ସରକାର, ବନିତା ଏବଂ ବିଶ୍ୱାସ ପାଟିଲଙ୍କ ଭଳି ଅନେକ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରୁ ଯୋଗଦେଇ ଉତ୍ସବକୁ ଉତ୍ସବମୁଖର ତଥା ସଫଳ କରିବାରେ ସହାୟକ ହେବେ ।