ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଏହାଛଡା ଗତ କିଛି ବର୍ଷ ମଧ୍ୟରେ ବୁଲା କୁକୁରଙ୍କ ଆକ୍ରମଣରେ ଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବଶୀଘ୍ର ‘ବୁଲା କୁକୁର ବନ୍ଧ୍ୟାକରଣ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୨୦୩୦ ସୁଦ୍ଧା ଓଡିଶାକୁ ଜଳାନ୍ତକ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ରାଜ୍ୟର ସବୁ ଜିଲ୍ଲାରେ ଏହି ଅଭିଯାନ ଏକ ସମୟରେ କାର୍ଯ୍ୟକାରୀ କରାଯିବ। ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହି ଅଭିଯାନ ପରିଚାଳନା କରିବେ।
ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଓଡ଼ିଶାରେ ୬୪ ହଜାର ୬୪୨ଟି କୁକୁର କାମୁଡ଼ା ମାମଲା ଘଟିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୯ ହଜାର ୮୫ ଥିଲା। ରାଜ୍ୟରେ ପ୍ରତ୍ୟେକ ମାସରେ ପାଖାପାଖି ୨୫ରୁ ୪୦ଟି କୁକୁର କାମୁଡ଼ା ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତ୍ୟେକ ମାସରେ ବୁଲା କୁକୁରଙ୍କ ଯୋଗୁ ହେଉଥିବା ଦୁର୍ଘଟଣା ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଜଣାପଡିଛି। ୨୦୨୩ରେ ସର୍ବାଧିକ କୁକୁର କାମୁଡ଼ା ମାମଲା ଚିହ୍ନଟ ହୋଇଥିବା ତାଲିକାରେ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।