ଭୁବନେଶ୍ୱର : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଦେଶର ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ଇ-ପତ୍ରିକାର ଶୁଭାରମ୍ଭ କରିବେ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ବୁଧବାର ୧୨ଟା ୪୫ମି ସମୟରେ ଏହି ଇ-ପତ୍ରିକାର ଶୁଭାରମ୍ଭ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଜଣାଇଛନ୍ତି ।
ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରତିବର୍ଷ ଭୋଟର ତାଲିକା ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ନିର୍ବାଚନରେ ଅଂଶଗ୍ରହଣ ସହ ଗଣତନ୍ତ୍ରକୁ ମଜବୁତ କରି ଗଢ଼ିବା ନିମନ୍ତେ ଭୋଟର ତଥା ଜନସାଧାରଣମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଥାନ୍ତି । ଏହି ଜଟିଳ କାର୍ଯ୍ୟରେ ସେମାନଙ୍କ ନିୟୋଜନ ଏବଂ କାର୍ଯ୍ୟକୁ ସଫଳ କରିବା ନିମନ୍ତେ ସେମାନଙ୍କର ଅବିରତ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ । ଦେଶର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମନୋବଳ ବୃଦ୍ଧି ଓ କାର୍ଯ୍ୟଦକ୍ଷତା ବଢ଼ାଇବା ନିମନ୍ତେ ନିର୍ବାଚନ ଆୟୋଗ ବି.ଏଲ୍.ଓ ଇ-ପତ୍ରିକାର ଶୁଭାରମ୍ଭ କରିଛନ୍ତି । ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତିବର୍ଷ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଘରକୁ ଘର ବୁଲି ଭୋଟର ତାଲିକାରେ ନୂଆ ଭୋଟରମାନଙ୍କୁ ପଞ୍ଜୀକୃତ କରିବା ପାଇଁ ବହୁ କଷ୍ଟ ସ୍ୱୀକାର କରିଥାନ୍ତି । ଇ-ପତ୍ରିକା ଜରିଆରେ ଏ ସମସ୍ତ କାର୍ଯ୍ୟ ସହଜ ଓ ସରଳ ହେବା ସହ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ସଂପୂର୍ଣ୍ଣ ସଠିକ ତଥ୍ୟ ମିଳିପାରିବ, ଯାହାଫଳରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଭୋଟର ତାଲିକା ପ୍ରସ୍ତୁତି, ନୂତନ ପଂଜୀକରଣ, ନିର୍ବାଚନ ମଣ୍ଡଳୀରେ ସଚେତନତା ସୃଷ୍ଟି ଇତ୍ୟାଦି କାର୍ଯ୍ୟ ସହଜ ଓ ସରଳ ହୋଇପାରିବ । ଇ-ପତ୍ରିକା ମାଧ୍ୟମରେ ଉପରିସ୍ଥ ଅଧିକାରୀମାନେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଠିକ୍ ସମୟରେ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଦିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।