ଭାରତର ସ୍ବାଧୀନତା ଅନ୍ଦୋଳନ ଇତିହାସରେ ମାର୍ଚ୍ଚ ୨୩ ଏକ ସ୍ମରଣୀୟ ଦିବସ। ଭାରତ ମାତାର ବୀର ସୁପୁତ୍ର କ୍ରାନ୍ତିକାରୀ ଶହୀଦ-ଏ-ଆଜମ୍ ଭଗତସିଂହ, ଶିବରାମ ରାଜଗୁରୁ ଏବଂ ସୁଖଦେବ ୧୯୩୧ ମସିହା ଆଜିର ଦିନରେ ହସିହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ। ଆଉ ତାଙ୍କରି ସ୍ମୃତିରେ ଆଜିର ଦିନଟିକୁ ଶହୀଦ ଦିବସ ଭାବେ ପାଳନ କରୁଛି ପୂରା ଦେଶ।
୧୯୦୭ ମସିହା ସେପ୍ଟମ୍ବର ମାସ ୨୭ ତାରିଖରେ ପଞ୍ଜାବର ଲୟାଲପୁର ଜିଲ୍ଲା (ବର୍ତମାନର ପାକିସ୍ତାନ) ବଙ୍ଗାଗ୍ରାମର ସର୍ଦ୍ଦାର କିଷନ୍ ସିଂ ଓ ବିଦ୍ୟାବତୀ କୋଳ ମଣ୍ଡନ କଲେ ଦେଶ ପ୍ରେମୀ ସାହାସୀ ଭଗତ୍ ସିଂ । ଭଗତ୍ ସିଂ ଜେଜେବାପା ଅଜ୍ଜୁର୍ନ ସିଂ ଇଂରେଜ ଶାସନକୁ ଘୃଣା କରୁଥିଲେ । ତାଙ୍କର ପ୍ରଭାବ ପିଲମାନଙ୍କ ଉପରେ ପଡିଥିଲା । ବିଦ୍ରୋହରେ ଯୋଗଦେଇ ସର୍ଦ୍ଦାର କିଷନ୍ ସିଂ ଓ ତାଙ୍କର ଦୁଇଭାଇ ଜେଲ୍ ଭୋଗିଲେ । ସେମାନେ ବନ୍ଦୀଶାଳାରେ ଥିବା ସମୟରେ ଭଗତ୍ ସିଂ ଜନ୍ମ ଗ୍ରହଣ କରିଥିଲେ । ଭଗତ୍ ସିଂ ପ୍ରଥମେ ଖାଲସା ସ୍କୁଲ, ପରେ ଲାହୋରର ଆଂଗ୍ଲୋବେଦିକ୍ ସ୍କୁଲରେ ପାଠ ପଢିଲେ । ସେହି ସ୍କୁଲରେ ମାଟ୍ରିକୁଲେଶନ ପାଶ୍ କରିବା ପରେ ଲାହୋର ନ୍ୟାସନାଲ କଲେଜରେ ପାଠ ପଢିଲେ । ସେ କଲେଜରେ ବିପ୍ଲବୀ ଛାତ୍ର ସୁଖଦେବ ଓ ଯଶ ପାଲଙ୍କ ସହିତ ତାଙ୍କର ପରିଚୟ ହେଲା ।
ଭଗତ୍ ସିଂ ନବମ ପଢୁଥିବା ସମୟରେ କାନପୁରଠାରେ ବସିଥିବା କଂଗ୍ରେସ ଅଧିବେଶନରେ ଯୋଗଦେଲେ । ୧୪ ବର୍ଷର ପିଲାଟି ଇଂରେଜ ସରକାରଙ୍କ ଅତ୍ୟାଚାର ସହି ନପାରି ପଞ୍ଜାବର ବିପ୍ଲବୀ ଦଳରେ ମିଶି ପ୍ରତିବାଦ ଆରମ୍ଭ କରିଦେଲେ । ସେ କହୁଥିଲେ ‘ ରକ୍ତ ବଦଳରେ ରକ୍ତ’ ନ୍ୟାସନାଲ କଲେଜର ବାତାବରଣ ଥିଲା ଦେଶପ୍ରେମ ଓ ଦେଶଭକ୍ତିର ପରିବେଶ । ଏହି କଲେଜର ଉଦ୍ଦେଶ୍ୟ ଥିଲା । ସ୍ୱରାଜ୍ୟ ଲାଭ ପାଇଁ କର୍ମୀ ତିଆରି କରିବା । ଏହି କଲେଜର ଛାତ୍ରମାନେ ସରଳ ନିଡାମ୍ବର ଜୀବନଯାପନ ସାଙ୍ଗକୁ ନିଜ କାମ ନିଜେ କରୁଥିଲେ । ଦିନେ ଭଗତ୍ ସିଂ , ଯଶପାଲଙ୍କ ସାଥିରେ ରାବି ନଦୀରେ ସନ୍ଧ୍ୟା ସମୟରେ ନୌକା ବିହାର କରୁଥିଲେ । ହଠାତ୍ ଯଶପାଲ କହିଲେ ଭଗତ୍ ଆମେ ଆଜି ଉଭୟ ଦେଶ ପାଇଁ ଜୀବନ ଦେବାକୁ ପଣ କରିବା । ଭଗତ୍ ସିଂ ପ୍ରତିଜ୍ଞା କଲେ ଉଭୟ ଦେଶ ପାଇଁ ଲଢିବା, ଇଂରେଜ ଶାସନ କବଳରୁ ଦେଶକୁ ମୁକ୍ତ କରିବା । ଦେଶ ମାତୃକା ପାଇଁ ଜୀବନ ଦେଇ ଦେବା । ଉଭୟ ବନ୍ଧୁଙ୍କର ରାବି ନଦୀର ଜଳରାଶି ଉପରେ ପ୍ରତିଜ୍ଞା ଦିନେ ଫଳବତୀ ହେଲା । ପରାଧିନତାର ଶୃଙ୍ଖଳରେ ଶୋଇଥିବା ଦେଶକୁ ଉଠାଇବ କିଏ?
ଭଗତ୍ ସିଂ ଓ ତାଙ୍କର କିଛି ବନ୍ଧୁ ମିଶି ‘କୃଷ୍ଣ ବିଜୟ’ ନାମରେ ଏକ ନାଟକ ଅଭିନୟ କଲେ । ଏହି ନିଟକରେ ଇଂରଜେମାନଙ୍କୁ କୌରବ ଓ କଂଗ୍ରେସକୁ ପାଣ୍ଡବ “ଭାବରେ ବର୍ଣ୍ଣନା କରାଗଲା । ଏହି ନାଟକଟି ସରକାରଙ୍କ ବିରୋଧି ହେଲା । ଇଂରେଜ ସରକାର ନାଟକଟିକୁ ବେଆଇନ ଘୋଷଣା କଲେ । ୧୯୨୬ ମସିହାରେ ଭଗତ୍ ସିଂ ଏଫ.ଏ ପାଶ କରି ବି.ଏ ଶ୍ରେଣିରେ ନାମ ଲେଖାଇଲେ । ଏଠାରେ ପ୍ରସିଦ୍ଧ ବିପ୍ଲବୀ ଶଚ୍ଚୀନ୍ଦ୍ର ନାଥ ସାନ୍ୟାଲଙ୍କର ସେଥିଲେ ଅତି ବିଶ୍ୱସ୍ତ । ଶଚ୍ଚୀନ୍ଦ୍ର ତାଙ୍କ ବହି ‘ବନ୍ଦୀ ଜୀବନ’ରେ ଭଗତ୍ ସିଂଙ୍କ ବିଷୟରେ ଲେଖିଛନ୍ତି । ଭଗତ୍ ସିଂଙ୍କ ଛାତ୍ର ଜୀବନର ପୂର୍ଣ୍ଣଛେଦ ପଡିଲା । ପିତା କିଷନ୍ ସିଂ ବଡ ପୁଅ ଜଗତ୍ ସିଂଙ୍କର ମୃତ୍ୟୁପରେ ବୋହୂଟିଏ ଆଣିବାକୁ ମନସ୍ତ କରିଥିଲେ । କିନ୍ତୁ ତାହା ହୋଇପାରିଲା ନାହିଁ । ଭଗତ ସିଂ ଦେଶ ମାତୃକାର ସେବା ପାଇଁ ବିବାହ ବନ୍ଧନକୁ ଆଡେଇ ଦେଇଥିଲେ । ସେ ବିଭା ହୁଅନ୍ତେ କିପରି? ଦେଶ ପାଇଁ ଜୀବନ ଦେବାକୁ ପଣ କରିଛନ୍ତି । ବିବାହ ବନ୍ଧନକୁ ଆଡେଇ ଦେଇ ନିଖୋଜ ହୋଇଗଲେ । ପିତାଙ୍କ ନିକଟକୁ ଲେଖିଥିବା ଚିଠିରେ ଦେଶ ମାତୃକାର ସେବା ଥିଲା ତାଙ୍କର ପ୍ରଧାନ ଆଭିମୁଖ୍ୟ । ଦେଶଭକ୍ତ ପିତା ଚିଠିଟି ପଢି ଖୁସିରେ ଆଖିରୁ ଦୁଇଟୋପା ଲୁହ ନିଗାଡି ଦେଇଥିଲେ ।
କିଛି ଦିନପରେ କିଷନ୍ ସିଂ ପୁତ୍ର ନିକଟକୁ ଚିଠି ଲେଖିଲେ । ଜେଜେମାଙ୍କ ଦେହ ଖରାପ ଓ ତୋତେ ବିଭାଦେବାକୁ ବାଧ୍ୟ କରାଯିବ ନାହିଁ । ଛମାସ ପରେ ଭଗତ୍ ସିଂ ଘରକୁ ଫେରି ଜେଜେମାର ସେବା କଲେ । ଗଙ୍ଗାନଦୀରେ ବନ୍ୟା ଆସିଥାଏ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଭଗତ୍ ସିଂ ବନ୍ୟାଦ୍ୱାରା କ୍ଷତି ହୋଇଥିବା ଲୋକମାନଙ୍କ ସେବାରେ ଲାଗିପଡଲେ । ଏହି ସମୟରେ ତାଙ୍କର ବିପ୍ଲବୀ ଚନ୍ଦ୍ରଶେଖର ଆଜାଦ୍ଙ୍କ ସହିତ କାନପୁର ଠାରେ ସାକ୍ଷାତହେଲା । ଏହି ସାକ୍ଷାତ ଏକ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତଥିଲା । ସତେ କଣ ମଣୀକାଂଚନର ଅପୂର୍ବ ମିଳନ ଘଟିଲା । ଦଶହରା ପର୍ବ, ମା ଦୁର୍ଗାଙ୍କ ପୂଜା ଚାଲିଯାଏ । ଲାହୋରରେ ‘ରାମଲୀଳା’ ଉତ୍ସବରେ ଲୋକମାନଙ୍କ ଉପରେ ବୋମାମାଡ ହେଲା । ପଞ୍ଜାବ ପୋଲିସ୍ ବାହିନୀର ଅତ୍ୟାଚାରରେ ଗିରଫ ହେଲେ ୧୯ ବର୍ଷର ଭଗତ ସିଂ । ବିନାଦୋଷରେ ବନ୍ଦୀ ଜୀବନ କଟାଇଲେ ବ୍ରୋଷ୍ଟଲ ଜେଲର ଅନ୍ଧକାର ଗୃହ ମଧ୍ୟରେ । ମାଜିଷ୍ଟ୍ରେଟ ଷାଠିଏ ହଜାର ଟଙ୍କା ବନ୍ଧକ ଦେଇ ଜାମିନରେ ଛାଡିଦେବାକୁ ରାୟ ଦେଲେ । ତାଙ୍କର ପଇସାର ଅଭାବ ନଥିଲା । ଅନ୍ୟାୟକୁ ପ୍ରଶୟ ଦେଲେ ନାହିଁ । ଶେଷରେ ଉଚ୍ଚ ଅଦାଲତରେ ନିର୍ଦ୍ଦୋଷରେ ଖଲାସ ହେଲେ । ୧୯୨୮ମସିହାରେ ସାଇମନ କମିଶନ ଭାରତ ଆସିଥିଲେ । ଏହି କମିଶନରେ ସାତଜଣ ସଭ୍ୟ କେହି ଭାରତୀୟ ନଥିଲେ । ଭାରତୀୟମାନେ ଏହାକୁ ବିରୋଧ କଲେ ।
ଲାଲା ଲଜପତ୍ ରାୟଙ୍କ ନେତୃତ୍ୱରେ ଲୋକମାନେ ଆନ୍ଦୋଳନ କଲେ । ବିକ୍ଷୋଭକାରୀ ମାନଙ୍କ ଉପରେ ପୋଲିସ୍ ସୁପରିନ୍ଟେଣ୍ଡଟ୍ ସ୍କଟ୍ ଓ ଯେ.ପି ସାଣ୍ଡର୍ସ ସାହେବ ଲାଠି ଚଳାଇଲେ । ଏହି ଲାଠି ମାଡରେ ଲାଲା ଲଜପତ୍ ରାୟ ୧୯୨୮ ମସିହା ନଭେମ୍ବର ୧୭ ତାରିଖରେ ପ୍ରାଣ ହରାଇଥିଲେ । ଦେଶରେ ଶୋକର ଛାୟା ଖେଳିଗଲା । ଭଗତ୍ ସିଂ କାନ୍ଦି ଉଠିଲେ । ପ୍ରତିଶୋଧ ନେବା ପାଇଁ ହିନ୍ଦୁସ୍ଥାନ ସୋସାଲିଷ୍ଟ ରିପବ୍ଲକାନ୍ ଆର୍ମି ନାମକ ଏକ ସଙ୍ଗଠନ ଗଢାହେଲା । ଏଥିରେ ଚନ୍ଦ୍ରଶେଖର ଆଜାଦ୍, ସୁଖଦେବ,ଦୁର୍ଗାଦେବୀ ଓ ଭଗତ ସିଂ ଆଦି ବିପ୍ଲବୀ ଯୋଗଦେଲେ ।୧୯୨୮ ଡିସେମ୍ବର ୨୭ ତାରିଖ ଦିନ ପଞ୍ଜାବ ସଚିବାଳୟ ସାମ୍ନାରେ ଯେ.ପି ସାଣ୍ଡର୍ସ ଓ ଜଣେ ଗୋରା କନେଷ୍ଟବଳକୁ ହତ୍ୟା କରାଗଲା । ଏହାର ମୁଖ୍ୟନାୟକ ଥିଲେ ଭଗତ୍ ସିଂ । ରାଜଗୁର, ସୁକଦେବ, ଦୁର୍ଗାଦେବୀ ଓ ଭଗତ୍ ସିଂ ଛଦ୍ମବେଶରେ ପୋଲିସ୍ ଆଖିରେ ଧୂଳିଦେଇ କଲିକତା ପଳାଇଗଲେ । ଖଟିଖିଆ ଶ୍ରମିକମାନଙ୍କ ବିରୁଦ୍ଧରେ ଏକ ବିଲ୍ ବିଧାନସଭାରେ ଆଗତହେଲା । ଏହାକୁ ବିରୋଧ କରି “ଭଗତ୍ ସିଂ ବିପ୍ଲବୀ ବନ୍ଧୁମାନଙ୍କୁ ନେଇ ବିଧାନସଭାରେ ଦୁଇଟି ବୋମା ପକାଇଦେଲେ । ଗୋରା ସାହେବ ମାନେ ଜୀବନ ବିକଳରେ ପଳାଇଗଲେ । ବିପ୍ଲବୀମାନଙ୍କ ଇନ୍କିଲାବ ଜିନ୍ଦାବାଦ୍ ଧ୍ୱନିରେ ବିଧାନସଭା ପ୍ରକମ୍ପିତ ହେଲା । ଭଗତ୍ ସିଂ ଓ ଅନ୍ୟାନ୍ୟ ବିପ୍ଲବୀମାନେ ପୋଲିସ ହାତରେ ଧରାପଡି ଗିରଫ ହେଲେ । ଜେଲର ଚାରିକାନ୍ଥ ଭିତରେ ଭଗତ ସିଂଙ୍କ ଉପରେ ହେଲା ଅତ୍ୟାଚାର ।
ବନ୍ଦୀ ଜୀବନରେ ଭଗତ୍ ସିଂ ବହୁତ ବହି ପଢୁଥିଲେ । ୧୯୩୦ ମସିହାରେ ତିନି ବିପ୍ଲବୀ ବନ୍ଧୁ ସୁଖଦେବ ଓ ଶିବରାମଙ୍କ ସହିତ ଭଗତ୍ ସିଂଙ୍କୁ ଫାଶୀଦଣ୍ଡ ଆଦେଶହେଲା । ଫାଶୀ ଦଣ୍ଡ କଥା ଶୁଣି ଦେଶର ଲୋକମାନେ ଆନ୍ଦୋଳନ ଆରମ୍ଭ କରିଦେଲେ । ୧୯୩୧ ମସିହା ମାର୍ଚ ୩ ତାରିଖ ଦିନ ଭଗତ୍ ସିଂଙ୍କ ବାପାମାଆ ଓ ଅନ୍ୟମାନେ ଭଗତ୍ ସିଂଙ୍କୁ ଦେଖାକଲେ । ଭଗତ୍ ସିଂ ତାଙ୍କ ମାଙ୍କୁ କହିଲେ ଫାଶୀ ପରେ ମୋର ଶବକୁ ନେବା ପାଇଁ ଆସିବ ନାହିଁ । ଜଣେ ବିପ୍ଲବୀ ବୀରର ମାଆ ହିସାବରେ କାନ୍ଦିବ ନାହିଁ । ଏହା କହି ହସି ଉଠିଥିଲେ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଭଗତ୍ ସିଂ, ସୁଖଦେବ, ରାଜଗୁରୁଙ୍କର ଥିଲା ଶେଷ ଦିନ ।
ଭଗତ୍ ସିଂ କହିଲେ- ମାଜିଷ୍ଟ୍ରେଟ ସାହେବ । ଆଜି ଆପଣ ନିଜ ଆଖିରେ ଦେଖିବାକୁ ସୁଯୋଗ ପାଇଛନ୍ତି ବିପ୍ଲବୀ କିପରି ନିଜ ଆଦର୍ଶ ରକ୍ଷା କରୁଛି । ହସି ହସି ମୃତ୍ୟୁକୁ ଆଲିଙ୍ଗନ କରୁଛି? ଭଗତ୍ ସିଂ ସାଥିମାନଙ୍କ ସହ ଫାଶୀ ମଂଚ ଉପରକୁ ଉଠି ପଡିଲେ । ଫାଶୀ ଦଉଡିକୁ ଚୁମ୍ବନଦେଇ ଇନକିଲାବ୍ ଜିନ୍ଦାବାଦ ସାମ୍ରାଜ୍ୟବାଦ ମୁର୍ଦ୍ଦାବାଦ । ଭଗତ୍ ସିଂ ଓ ଦୁଇ ବନ୍ଧୁ ନିଜ ବେକରେ ଫାଶୀ ଦଉଡି ଗଳେଇ ଦେଇ ଘାତକୁ କହିଲେ ଦୟାକରି ତୁମେ ଏ ଫାଶୀକୁ ଠିକ କରିଦିଅ । ସେଠାରେ ଥିବା ସମସ୍ତ ଗୋରା ସାହେବ ଏହି ତିନି ବନ୍ଧୁଙ୍କର ସାହସ ଦେଖି କାନ୍ଦି ପକାଇଥିଲେ । ଭାରତମାତାର ଏହି ତିନି ବୀର ଦେଶ ମାତୃକାର ଚରଣ ତଳେ ଅର୍ପିତ ହୋଇଗଲେ । ତାଙ୍କର ଆଦର୍ଶ, ଦେଶପ୍ରେମ ଓ ଆତ୍ମବଳିର ପଟାନ୍ତର ନାହିଁ । ଭଗତ୍ ସିଂ ମରି ମଧ୍ୟ ଆଜି ଅମର, ଆଜି ଭାରତର ମାଟି, ପାଣି, ପବନରେ ତାଙ୍କର ବଳିଦାନର ଅପୂର୍ବଗାଥା ଗୁଞ୍ଜରିତ ହୋଉଛି ଓ ଭବିଷ୍ୟତରେ ହେଉଥିବ ।