ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ । ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରେ ଆନ୍ତର୍ଜାତୀୟ ସ୍ତରରେ ମ୍ୟାଲେରିଆ ନିରାକରଣ ଓ ସଚେତନତା ସୃଷ୍ଟି କରିବାକୁ ୱାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ ଦ୍ୱାରା ଏହା ପାଳିତ ହୁଏ । ଏହା ସହ ଏକ ଗ୍ଲୋବାଲ ଟେକିନିକାଲ ଷ୍ଟ୍ରାଟେଜୀ ଫର ମ୍ୟାଲେରିଆ ୨୦୧୬-୨୦୩୦କୁ ୨୦୧୫ରୁ ଲାଗୁ କରାଯାଇଛି ।
ରିପୋର୍ଟ ଅନୁଯାୟୀ ବିଶ୍ୱ ସ୍ତରରେ ୧୦୬ଟି ଦେଶର ୩.୩ କୋଟି ଲୋକଙ୍କୁ ମ୍ୟାଲେରିଆର ଆକ୍ରାନ୍ତ ହେବାର ଭୟ ଥାଏ । ୨୦୨୨ ମ୍ୟାଲେରିଆରେ ୮୯୧,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏସିଆ, ଲାଟିନ୍ ଆମେରିକା ଏବଂ ୟୁରୋପର କିଛି ଅଂଚଳରେ ଏବେ ବି ମ୍ୟାଲେରିଆରେ ବହୁ ଲୋକ ପ୍ରାଣ ହରାଇଥାନ୍ତି । ଆଫ୍ରିକାନ୍ ଦେଶ ଗୁଡ଼ିକରେ ଏହାର ମାତ୍ରା ସବୁଠାରୁ ଅଧିକ । ମ୍ୟାଲେରିଆକୁ ବୁଝିବା ଓ ତାର କାରଣ ତଥା ଏହାର ସଚେତନତା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ମ୍ୟାଲେରିଆକୁ ତିମୂଳ ଲୋପ କରିବା ହିଁ ଏହି ଦିବସର ଲକ୍ଷ୍ୟ । ତେବେ କେଉଁ ଦେଶ ବା ଅଂଚଳ ଏ ପର୍ଯ୍ୟନ୍ତ ମ୍ୟାଲେରିଆ ମୁକ୍ତ ହୋଇଛି ବୋଲି ସନ୍ଧାନ ଚାଲିଥିବା ବେଳେ ଭାରତରେ ପ୍ରାୟ ସମସ୍ତ ଅଂଚଳରେ ମ୍ୟାଲେରିଆର ପ୍ରଭାବ ରହିଛି ବୋଲି ସୂଚନା ମିଳିଛି । ବିଶ୍ୱର ସର୍ବାଧିକ ମାଲେରିଆ ପ୍ରବଣ ୧୦ଟି ଦେଶର ତାଲିକାରେ ଭାରତ ରହିଛି । ଅନ୍ୟ ଦେଶମାନେ ଯେଉଁ, ଅନୁପାତରେ ମାଲେରିଆ ନିୟନ୍ତ୍ରଣରେ ସଫଳତା ହାସଲ କରି ପାରିଛନ୍ତି, ଭାରତ ସେ ଅନୁପାତରେ ଏ ଘାତକ ଜ୍ୱରର ମୁକାବିଲାର ସଫଳ ହୋଇପାରିନାହିଁ । ଆମ ଦେଶରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଦକ୍ଷିଣ ପୂର୍ବ ରାଜ୍ୟ ଗୁଡ଼ିକରେ ମ୍ୟାଲେରିଆର ଆତଙ୍କ ଦେଖାଯାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାହା ରିପୋର୍ଟ ଅନୁଯାୟୀ, ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ମ୍ୟାଲେରିଆ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । କ୍ରମଶଃ ଦେଶର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ଅଧିକ ମ୍ୟାଲେରିଆ ପ୍ରବଣ ହୋଇପଡ଼ୁଛି । ଅନିୟନ୍ତ୍ରିତ ସହରୀକରଣ ଏବଂ ଯୋଜନା ବିହୀନ ଶିଳ୍ପାୟନ ଯୋଗୁଁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ଅନେକ ସ୍ଥାନରେ ଦୂଷିତ ଆବର୍ଜନାପୂର୍ଣ୍ଣ ପାଣି ଜମି ରହୁଛି । ଏହା ହିଁ ମଶା ବଂଶ ବୃଦ୍ଧିର କାରଣ ହୋଇ ମ୍ୟାଲେରିଆ ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟତମ ରିପୋର୍ଟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଆଉ ଏକ ସତର୍କ ସଙ୍କେତ । ରିପୋର୍ଟରେ ଥିବା ତଥ୍ୟରୁ ଏହା ସ୍ପଷ୍ଟ ଯେ ଦୀର୍ଘ ବର୍ଷ ହେଲା ଜାତୀୟ ସ୍ତରରେ ମ୍ୟାଲେରିଆ ନିୟନ୍ତ୍ରଣ ଅଭିଯାନ ଚାଲିଥିଲେ ସୁଦ୍ଧା, ସେଥିରୁ ଈପ୍ସିତ ସୁଫଳ ମିଳି ନାହିଁ । ମ୍ୟାଲେରିଆ ନିରାକରଣ ଅଭିଯାନକୁ ଆହୁରି ଜୋରଦାର କରାଯିବାର ଆବଶ୍ୟକତା ରହିଛି । ମ୍ୟାଲେରିଆର ପ୍ରଭାବ ବୃଦ୍ଧିକୁ ଆଖି ଆଗରେ ରଖି ଚଳିତ ବର୍ଷ ମ୍ୟାଲେରିଆ ନିରାକରଣ ଦିଗରେ ଅଧିକ ନିବେଶ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସମୁଦାୟକୁ ଆହ୍ୱାନ ଜଣାଇଛି ।