ପୁରୀ : ଆଜି ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ସିଂହଦ୍ଵାରରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଆଉ ନନ୍ଦିଘୋଷ । କେବଳ ଶ୍ରୀଜିଉମାନଙ୍କ ଆଗମନକୁ ଅପେକ୍ଷା । ଭଗବାନଙ୍କ ପାଇଁ ଭାବବିହ୍ବଳ ଭକ୍ତ ମନ । ଚକାନୟନ ସହିତ ନୟନ ମିଶାଇବାକୁ ଉଚ୍ଛନ୍ନ ହେଲାଣି ଭକ୍ତର ମନ । ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମିଳନ ଦେଖିବ ସାରା ଜଗତ ।
ପୁରୀରେ ଅଭେଦ୍ୟ ସୁରକ୍ଷା । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ଆଜି ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀ ଛାଡି ଜନ୍ମବେଦୀ ଯିବେ ଶ୍ରୀଜିଉ । ଏଥିପାଇଁ ପୁରୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏସବୁ ଭିତରେ ଗତ ସୋମବାର ସରିଛି ତିନି ରଥର ଦକ୍ଷିଣ ମୋଡ । ତିନି ରଥକୁ କର୍ଡନ କରି ରଖାଯାଇଛି । ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥର ରଥଯାତ୍ରାରେ ୧୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖାଯିବ । ଓ୍ଵାଚ୍ ଟାଓ୍ଵାରରୁ କଡ଼ା ନଜର ରଖିବେ ସୁରକ୍ଷା ବାହିନୀ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଲଗାଯାଇଛି ସିସିଟିଭି । ୨ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ । ଭିଡ ଉପରେ ନଜର ରଖିବ ଡ୍ରୋନ । ତଟ ସୁରକ୍ଷାରେ ହେଲିକପ୍ଟର ନିୟୋଜିତ ହେବ ।
ରଥଯାତ୍ରା ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷାରେ ପାଇଁ ୧୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ୧୮୦ ପ୍ଲାଟୁନ୍ ଫୋର୍ସ ସହ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଓ ଜାହାଜ ମୁତୟନ ହୋଇଛନ୍ତି । ଏହାସହ ସିସିଟିଭି ଓ ଡ୍ରୋନ ଦ୍ୱାରା ସମଗ୍ର ସହର ଉପରେ ନଜର ରଖାଯାଇଛି। ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ରହିବ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ । ମୋଟ ୨୪ ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ଟୁରିଷ୍ଟ ବସ୍ ସବୁ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ । କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବ । ୪ ଚକିଆ ଗାଡ଼ି ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ ଓ ବ୍ରହ୍ମଗିରି ଆଡୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ରହିବ । ଦୁଇ ଚକିଆ ଗାଡ଼ି ସବୁ ଜଗନ୍ନାଥବଲଭ ପାର୍କିଂରେ ରହିବ । ମାଟିତୋଟା କ୍ରିକେଟ ଫିଲ୍ଡ, ମଶାଣି ଚଣ୍ଡୀରେ ବାଇକ୍ ରହିବ । ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି । ଏହାଛଡା ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ବି ଜାରି କରାଯାଇଛି। ସେହି ନମ୍ବର ହେଲା ୬୩୭୦୯୬୭୧୦୦ । ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା କରାଯିବ । ସେପଟେ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଫାଷ୍ଟ ପାଟ୍ରୋଲିଂ ଭେଇକିଲ କାର୍ଯ୍ୟ କରିବ । ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍ କରାଯାଇଛି ।