ଭୁବନେଶ୍ବର ଓ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା
ଅପରାହ୍ନ ଗୋଟାଏରୁ ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନ ଛୁଟି
ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଗୁରୁବାର ସକାଳ ସାଢ଼େ ୯ଟା ସମୟରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯିବ। ଏହାପରେ ସେଠାରୁ ସେ ହେଲିକପ୍ଟର ଯୋଗେ ପୁରୀ ଯିବେ।
ସାଢ଼େ ୧୦ଟା ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବା ପରେ କାର୍କେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି। ଶ୍ରୀମନ୍ଦିରରେ ପାଖାପାଖି ଏକ ଘଣ୍ଟା ରହିବେ। ମହାପ୍ରଭୁଙ୍କ ଦର୍ଶନ ସାରି ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ବାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଏବଂ ସେଠାରୁ ସିଧା ରାଜଭବନ ବାହାରିବେ। ୧୨ଟାରେ ରାଜଭବନରେ ପହଞ୍ଚିବେ। ସେଠାରେ ସେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି।ରାଷ୍ଟ୍ରପତି ଅପରାହ୍ନ ୨ଟା ୧୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଆସିବେ। ଦିନ ୨ଟା ୫୦ରେ ଭୁବନେଶ୍ବରରେ ପହଞ୍ଚି ୩ଟା ୧୫ରୁ ୪ଟା୧୫ଟା ମଧ୍ୟରେ ବିଭିନ୍ନ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ରାଜଧାନୀର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ୮ଜଣ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି। ସେହିପରି ୧୧ ତାରିଖ ଦିନ ସକାଳ ୯ଟାରୁ ୧୦ଟା ସମୟ ମଧ୍ୟରେ ରାଷ୍ଟ୍ରପତି ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ। ପରେ ସାଢ଼େ ୧୧ଟା ସମୟରେ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମରେ ଯୋଗ ଦେବେ।
ଏହି ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଇପାରେ। ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ ପକ୍ଷରୁ ଅତିରିକ୍ତ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ରିଜର୍ଭ ବାଟାଲିୟନ, ସ୍ବତନ୍ତ୍ର ସୁରକ୍ଷା, ଓଡ଼ିଶା ଆର୍ମ ପୁଲିସ ଫୋର୍ସ ସହ ଅତିରିକ୍ତ ୩ୟ ବାଟାଲିୟନ କୋରାପୁଟ, ଖୋର୍ଦ୍ଧା ବାଟାଲିୟନ ସମେତ ମୋଟ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ତଦାରଖ ପାଇଁ ୪ଜଣ ଡିସିପି ରାଙ୍କର ଅଧିକାରୀଙ୍କ ସମେତ ୨୨ଜଣ ଅତିରିକ୍ତ ଡିସିପି, ୫୬ଜଣ ଡିଏସ୍ପି, ୬୨ଜଣ ଇନ୍ସ୍ପେକ୍ଟର ଓ ୨୦୦ଜଣ ଏସ୍ଆଇ ଓ ଏସ୍ଆଇ ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାର୍ଡ, ବମ୍ ସ୍କ୍ବାର୍ଡ, ଆମ୍ବୁଲାନ୍ସ, ଫାୟାର ସର୍ଭିସ୍ ମଧ୍ୟ ସାମିଲ ହେବେ। ଆଜି ଏନେଇ ଫୁଲ ଡ୍ରେସ୍ ରିହର୍ସଲ କରିଛି। ସେହିପରି ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା(ଡିଆଇଜି) ଅନୁପ ସାହୁ, ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ।