ପୁରୀ : ଆସନ୍ତାକାଲି (ବୁଧବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେବେ ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ପ୍ରାୟତଃ ୩ ରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ।
ଖବର ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି କରାଯାଏ । ଦତ୍ତମହାପାତ୍ର ସେବକମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ନୀତି ଅନୁଷ୍ଠିତ ହେଲା ବେଳକୁ ଅପରାହ୍ନ ହେବ । ଏଥିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କ ମଧ୍ୟ ଭୂମିକା ରହିଛି । ଏହି ନୀତି ପାଇଁ ୩ରୁ ୪ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ନୀତି ପରେ ମହାସ୍ନାନ ହୋଇ ପୁଣି ଦର୍ଶନ ସ୍ୱାଭାବିକ ଚାଲିବ । ତେବେ ବୁଧବାର ଠାକୁରଙ୍କ ନୀତିକୁ ନେଇ ବନକଲାଗି ଓ ଦର୍ଶନ ସମୟ ଧାର୍ଯ୍ୟ ହେବ।