ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ମାଓ ମୁକାବିଲା ସମୀକ୍ଷା ବୈଠକ ଶେଷ ହୋଇଛି। ବୈଠକରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବା ସହ ଗୃହମନ୍ତ୍ରୀ ଅମିତ ଶାହ ଗଣମାଧ୍ୟମରେ ପ୍ରତିକ୍ରୟା ରଖିଛନ୍ତି। ମାଓ ପ୍ରଭାବିତ ଜିଲାର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଗୁରୁଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ନକ୍ସଲ ମୁକାବିଲା ନେଇ ପ୍ରତି ମାସରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ପ୍ରତି ୧୫ଦିନରେ ଥରେ ସମୀକ୍ଷା କରିବେ ପୁଲିସ ଡିଜି। ଜିଲ୍ଲାସ୍ତରରେ ମାସକୁ ଥରେ ଯାଇ ସେଠାରେ ରାତ୍ରି ଯାପନ କରିବେ। ସୁରକ୍ଷା କର୍ମୀଙ୍କ ସହ ମିଶି ସେମାନଙ୍କ ମନୋବଳ ବଢାଇବେ ଡିଜିପି। ଗୃହମନ୍ତ୍ରୀଙ୍କ ସୂଚନା ଅନୁସାରେ ଜାନୁଆରୀରୁ ଏଯାବତ ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଯାଇଛି। ୮୦୧ ନକ୍ସଲ ଗିରଫ ଏବଂ ୭୪୨ଜଣ ଆତ୍ମସମର୍ପଣ କରିଛନ୍ତି। ଦେଶରେ ଏବେ ନକ୍ସଲ ପ୍ରବଲ ଜିଲା ସଂଖ୍ୟା ୯୬ରୁ ୧୬କୁ ଖସିଥିବା ଅମିତ ଶାହ ସୂଚନା ଦେଇଛନ୍ତି। ୧୬ ଜିଲାର ୧୨୦ଥାନା ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଜାରି ରହିଛି। ଆଦିବାସୀ ଅଞ୍ଚଳରେ ବିକାଶର ମୁଖ୍ୟ ବାଧା ସାଜୁଛନ୍ତି ନକ୍ସଲ। ସବୁଠାରୁ ଅଧିନ ମାନବାଧିକାର ହନନ ନକ୍ସଲଙ୍କ ଯୋଗୁଁଁ ହେଉଛି। ଏବେ ଅନ୍ତିମ ପ୍ରହାର କରି ଏହାକୁ ଶେଷ କରିବାକୁ ପଡ଼ିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜ୍ଞାନ ଭୁବନରେ ଚାଲିଥିବା ବୈଠକରେ ଯୋଗ ଦେଇଛନ୍ତି ଓଡ଼ିଶା ସମେତ ୮ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ଡିଜି ୱାଇ.ବି ଖୁରାନିଆ ଯୋଗ ଦେଇଥିଲେ।