ବୌଦ୍ଧ : ବୌଦ୍ଧ ସହର ସତସଙ୍ଗ ବିହାର ସ୍ଥିତ ମହାନଦୀ କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି । ଖବରପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ଶୌଚ ହେବା ପାଇଁ ନଦୀକୁ ଯାଇଥିବା ବେଳେ ସେଠାରେ ଏକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ କାଚ ବୋତଲରେ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ମୃତକଙ୍କ ନିକଟରୁ ଏକ ସାଇକେଲ , ମୁଣ୍ଡ ପାଖରେ ଗୋଟିଏ ବ୍ୟାଗ ଥିବା ଦେଖିବାକୁ ମିଳିଛି । ସେପଟେ ମୃତଦେହ ପଡିଥିବା ସ୍ଥାନଟି ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ସେଠାକୁ ମଦୁଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।