ନୂଆଦିଲ୍ଲୀ : ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୪ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୁଖ୍ୟତଃ ବିଦ୍ୟୁତ୍, ଇନ୍ଧନ, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ଏବଂ କେତେକ ପରିବା ମୂଲ୍ୟ ହ୍ରାସ ହେତୁ ଜୁଲାଇ ତୁଳନାରେ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୨% ବଢ଼ିଥିବାବେଳେ ଅଗଷ୍ଟରେ ଏହା ମାତ୍ର ୧.୩% ବଢ଼ିଛି। ଗତବର୍ଷ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି -୦.୫% ସ୍ତରରେ ଥିଲା।
ମନ୍ତ୍ରଣାଳୟର କହିବା ଅନୁଯାୟୀ ୨୦୨୪ ଅଗଷ୍ଟରେ ମୁଖ୍ୟତଃ ଖାଦ୍ୟ ପଦାର୍ଥ, ପ୍ରକ୍ରିୟାକୃତ ଖାଦ୍ୟ, କପଡ଼ା ଉତ୍ପାଦନ ଓ ଯନ୍ତ୍ରପାତି ନିର୍ମାଣ ମୂଲ୍ୟ ବଢ଼ିବାରୁ ମୁଦ୍ରାସ୍ଫୀତି ବଢ଼ିଛି। ପାଇକାରୀ ଖାଦ୍ୟ ମୁଦ୍ରାସ୍ଫୀତି ଜୁଲାଇରେ ୩.୬% ଥିବାବେଳେ ଅଗଷ୍ଟରେ ୩.୩% ରହିଛି, ଯାହା ୧୦ ମାସର ସର୍ବନିମ୍ନ ସ୍ତର। ତେବେ ଆଳୁ, ପିଆଜ, ଫଳ ଓ ଡାଲି ମୂଲ୍ୟ ଅଧିକ ରହିଛି। ଆଳୁ ମୁଦ୍ରାସ୍ଫୀତି ଜୁଲାଇରେ ୭୬.୨% ଥିବାବେଳେ ଅଗଷ୍ଟରେ ଏହା ୭୮%କୁ ବଢ଼ିଛି। ଜୁଲାଇରେ ପିଆଜ ମୂଲ୍ୟ ବାର୍ଷିକ ହାରରେ ୮୮.୮% ବଢ଼ିଥିବାବେଳେ ଅଗଷ୍ଟରେ ଏହା ୬୫.୬% ବଢ଼ିଥିଲା।
ସର୍ବଶେଷ ତଥ୍ୟ ଅନୁଯାୟୀ, ପରିବା ଓ କେତେକ ଖାଦ୍ୟ ମୂଲ୍ୟ ଅଧିକ ଥିବାରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବଢ଼ିଥିଲେ ମଧ୍ୟ ଏହା କ୍ରମାଗତ ଦ୍ବିତୀୟ ମାସରେ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟସ୍ତର ୪%ରୁ କମ୍ ରହିଥିଲା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବୈଶ୍ବିକ ସ୍ତରରେ ଇନ୍ଧନ ମୂଲ୍ୟ କମ୍ ଥିବାବେଳେ ସାମଗ୍ରୀ ମୂଲ୍ୟ ମଧ୍ୟ ମଧ୍ୟମ ଥିବାରୁ ସେପ୍ଟେମ୍ବରରେ ବିଶ୍ବସ୍ତରରେ ମୁଦ୍ରାସ୍ଫୀତି କମିବା ଆଶା କରାଯାଉଛି।