ମୁମ୍ବାଇ : ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଣେ ବିଧବା ବୋହୂ ଶାଶୂ-ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହଁନ୍ତି । ବିଚାରପତି କିଶୋର ସନ୍ଥଙ୍କ ନେତୃତ୍ୱାଧୀନ ଜଣିକିଆ ଖଣ୍ଡପୀଠ ୩୮ ବର୍ଷୀୟା ମହିଳା ଶୋଭା ତିଡ଼କେଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
ସୂଚନା ଯେ, ଶୋଭାଙ୍କ ସ୍ୱାମୀ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମରେ କାର୍ଯ୍ୟ କରୁଥିଲେ । ତାଙ୍କର ଅକାଳ ବିୟୋଗ ପରେ ଶୋଭା ମୁମ୍ବାଇସ୍ଥିତ ସରକାରୀ ଜେ.ଜେ. ହସ୍ପିଟାଲରେ ଚାକିରି ଆରମ୍ଭ କରିଥିଲେ । ଏହାପରେ ଶୋଭାଙ୍କ ଶ୍ୱଶୁର କ୍ରିଷ୍ଣାରାଓ ତିଡ଼କେ (୬୮) ଓ ଶାଶୂ କାନ୍ତାବାଈ ତିଡ଼କେ (୬୦) ନିଜର କୌଣସି ଆୟ ନ ଥିବା ଦର୍ଶାଇ ବୋହୂଙ୍କଠାରୁ ରକ୍ଷଣାବେକ୍ଷଣ ଦାବି କରିଥିଲେ । ଶୋଭା ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ତାଙ୍କ ସ୍ୱାମୀଙ୍କ ପିତାମାତାଙ୍କର ଗ୍ରାମରେ ଜମି ଓ ଘର ରହିଛି । ଏଥିସହ କ୍ଷତିପୂରଣ ଭାବେ ସେମାନେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମଠାରୁ ୧.୮୮ ଲକ୍ଷ ଟଙ୍କା ପାଇଥିଲେ । ହାଇକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ଆବେଦନକାରୀ ମହିଳା ଶୋଭା ତିଡ଼କେ ଅନୁକମ୍ପା ଭାବେ ଚାକିରି ପାଇନାହାନ୍ତି । ତେଣୁ ସେ ଶାଶୂ ଓ ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହନ୍ତି ।