ନୂଆଦିଲ୍ଲୀ : ପାଇକାରୀ ମୁଦ୍ରାସ୍ପିତି ସୂଚକାଙ୍କ (ଡବ୍ଲୁପିଆଇ) ଆଧାରିତ ମୁଦ୍ରାସ୍ପୀତି ୮ମାସର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟଙ୍କ ତଥ୍ୟରୁ ଏହି ସୂଚନା ମିଳିଛି। ଖାଦ୍ୟ ମୂଲ୍ୟ ବୃଦ୍ଧି ଯୋଗୁ ନଭେମ୍ବର ମାସରେ ପାଇକାରୀ ମୁଦ୍ରାସ୍ପୀତି ୦.୨୬ ପ୍ରତିଶତକୁ ପହଞ୍ଚିଥିଲା। ଯାହା ଗତ ୮ ମାସର ସର୍ବୋଚ୍ଚ ସ୍ତର ବୋଲି କୁହାଯାଉଛି। ତେବେ ମାର୍ଚ୍ଚ ୨୦୨୩ ପରେ ଡବ୍ଲୁପିଆଇ ଋଣାତ୍ମକରୁ ସୁଧାର ଆଡକୁ ମୁହାଁଇବା ସହ ଗତ ୭ ମାସ ହେଲା ଶୁନ ରହୁଥିଲା।
ବାଣିଜ୍ୟ ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ସୂଚନା ଅନୁସାରେ ଡବ୍ଲୁପିଆଇ ଆଧାରିତ ମୁଦ୍ରାସ୍ପୀତି ଅକ୍ଟୋବର ୨୦୨୩ରେ ଶୁନରୁ ୦.୫୨ ପ୍ରତିଶତ ତଳେ ଥିଲା ଓ ନଭେମ୍ବରରେ ଏହା ୬.୧୨ ପ୍ରତିଶତକୁ ଆସିଥିଲା। ଫଳରେ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ତେବେ ଖାଦ୍ୟସାମଗ୍ରୀ, ଖଣିଜ, ମେସିନାରୀ ଓ ଉପକରଣ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ସ ଓ ଅପ୍ଟିକାଲ ଉତ୍ପାଦ, ମୋଟର ବାହନ ଓ ଅନ୍ୟ ପରିବହନ ଉପକରଣ ସାଙ୍ଗକୁ ଅନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ନଭେମ୍ବର ୨୦୨୩ରେ ଏହି ମୁଦ୍ରାସ୍ପୀତି ବଢିଛି।
ଖାଦ୍ୟମୁଦ୍ରାସ୍ପୀତି ନଭେମ୍ବରରେ ବଢି ୮.୧୮ ପ୍ରତିଶତ ହୋଇଯାଇଛି, ଯାହା ଅକ୍ଟୋବରରେ ୨.୫୨ ପ୍ରତିଶତ ଥିଲା। ଗତ ମାର୍ଚ୍ଚ ମାସରେ ଡବ୍ଲୁପିଆଇ ଆଧାରିତ ମୁଦ୍ରାସ୍ପୀତି ୧.୪୧ ପ୍ରତିଶତ ଥିଲା। କେବଳ ଡବ୍ଲୁପିଆଇ ନୁହେଁ ଖୁଚୁରା ମୁଦ୍ରାସ୍ପୀତି ମଧ୍ୟ ବଢିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଜାରି ଅଧିକାରୀକ ତଥ୍ୟ ଅନୁସାରେ ନଭେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ହାର ୫.୫୫ ପ୍ରତିଶତ ହୋଇଯାଇଛି, ଯାହା ୩ ମାସର ସର୍ବୋଚ୍ଚ ସ୍ତର ବୋଲି କୁହାଯାଇଛି। କାରଣ ଏହି ସମୟରେ ଦେଶରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଦେଖାଯାଇଛି।
ଖୁଚୁରା ମୁଦ୍ରାସ୍ପୀତି ଅକ୍ଟୋବରରେ ୪.୮୭ ପ୍ରତିଶତ ଓ ନଭେମ୍ବର ୨୦୨୨ରେ ୫.୮୮ ପ୍ରତିଶତ ଥିଲା। ଏଥିରେ ଚଳିତବର୍ଷ ନଭେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ପୀତି ବଢି ୮.୭ ପ୍ରତିଶତ ହୋଇଯାଇଛି, ଯାହା ୬.୬୧ ପ୍ରତିଶତ ଓ ୨୦୨୨ ନଭେମ୍ବରରେ ୪.୬୭ ପ୍ରତିଶତ ଥିଲା। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନଭେମ୍ବର ଓ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ପୀତି ବୃଦ୍ଧି ନେଇ ଆଗରୁ ସତର୍କ କରିଥିଲେ। ଏଣୁ ଗତ ସପ୍ତାହରେ ହୋଇଥିବା ଦ୍ୱିମାସିକ ମୌଦ୍ରିକ ନୀତି ସମୀକ୍ଷା (ଏମପିସି)ରେ ଆରବିଆଇ ପ୍ରମୁଖ ସୁଧହାରକୁ ସ୍ଥିର ରଖିଛନ୍ତି। ତେବେ ଆରବିଆଇ ଜାରି ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ପୀତି ୫.୪ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି।