ଢେଙ୍କାନାଳ : ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଆଜି ମା’ ପଦ୍ମାଳୟା ମେଲାଣି ନେବେ । ଭସାଣି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ପ୍ରସ୍ତୁତି ସରିଛି । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ, ଲୋକନୃତ୍ୟ ଦଳ ଢେଙ୍କାନାଳରେ ପହଞ୍ଚି ଗଲେଣି । ରବିବାର ସକାଳୁ ମା’ଙ୍କୁ ବିଦାୟ ଦେବାକୁ ଆରମ୍ଭ ହେବ ଶୋଭାଯାତ୍ରା । ବ୍ୟାଣ୍ଡପାର୍ଟି, ବାଦ୍ୟ ଓ ଲୋକନୃତ୍ୟରେ ଦୁଲୁକିବ ସହର । ଭସାଣି ଉତ୍ସବ ସକାଳ ସାଢ଼େ ୮ଟାରୁ ଆରମ୍ଭ ହୋଇ ରାତି ୧୨ଟା ଯାଏ ଚାଲିବ ।
ଢେଙ୍କାନାଳରେ ପୂଜା ଭଳି ଭସାଣି ଉତ୍ସବ ବି ବେଶ୍ ଆକର୍ଷଣୀୟ ହୋଇଥାଏ । ଭସାଣି ଉତ୍ସବ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକେ ଛୁଟି ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ ଭସାଣି ଉତ୍ସବକୁ ବେଶ୍ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା କମିଟି ପ୍ରସ୍ତୁତି କରିଛନ୍ତି । ମାତ୍ର ଚଳିତ ଥର ବାତ୍ୟା ‘ଦାନା’ ଲକ୍ଷ୍ମୀପୂଜାକୁ କିଛିକାଂଶରେ ପାଣିଚିଆ କରିଦେଇଛି । ସପ୍ତମ ଦିନରୁ ବାତ୍ୟା ପାଇଁ ମେଳା ବନ୍ଦ ହୋଇଯାଇଥିବା ବେଳେ ଭସାଣି ଉପରେ ବି ଏହାର ପ୍ରଭାବ ପଡ଼ିଛି । ବାତ୍ୟା ପାଇଁ ଟ୍ରେନ୍ ବାତିଲ୍ ହୋଇଯାଇଥିବାରୁ ରାଜ୍ୟ ବାହାରୁ ଆସିବାକୁ ଥିବା ଅନେକ ସାଂସ୍କୃତିକ ଦଳ ଗୁଡ଼ିକ ଆସି ପାରିନାହାନ୍ତି । ୬ମାସ ଆଗରୁ ଅଗ୍ରୀମ ନେଇ ମଧ୍ୟ ଆସିନପାରିବା ଫଳରେ କମିଟି କର୍ମକର୍ତ୍ତା ନିରାଶ ହୋଇଛନ୍ତି । ଏହାସତ୍ତେ୍ୱ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରର କିଛି ଟିମ୍ ଆସି ପହଞ୍ଚି ଗଲେଣି । ରବିବାର ସକାଳ ସୁଧା କେତେକ ଦଳ ପହଞ୍ଚିବେ ବୋଲି ଜଣାଯାଇଛି ।
ପରମ୍ପରା ଅନୁଯାୟୀ, ରବିବାର ସକାଳ ପ୍ରାୟ ସାଢ଼େ ୮ଟାରେ ପ୍ରଶାସନିକ ଅଧିକାରୀ, ମିଳିତ ବଜାର ପୂଜା କମିଟି ଓ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମେ ମୀନାବଜାର ପୂଜା ପ୍ରତିଷ୍ଠାନ ଠାରେ ପୂଜାର୍ଚ୍ଚନା କରାଯାଇ ଭସାଣି ଉତ୍ସବ ଶୁଭାରମ୍ଭ କରାଯିବ । ପ୍ରାୟ ୨୦ଟି ପୂଜା କମିଟି ମିଳିତ ଭସାଣିରେ ସାମିଲ ହେବେ ବୋଲି ଜଣାଯାଇଛି । ବଳରାମ ମନ୍ଦିର, ରାଜବାଟି ଦେଇ ହନୁମାନ ଛକ, ପୂର୍ତ୍ତ ବିଭାଗ ଛକ, ମହାବୀର ଛକ ଦେଇ କାଠ ଶଙ୍ଖରେ ମେଢ଼ ବିସର୍ଜନ କରାଯିବ । ରାତି ୮ଟା ୧୦ରେ ମୀନାବଜାର ବିସର୍ଜନ କରିବାକୁ ଧାର୍ଯ୍ୟ ହୋଇଛି । ରାତି ୧୦ଟା ସୁଧା ସମସ୍ତ କମିଟି ବାଜିଚୌକ୍ ଅତିକ୍ରମ କରିବାକୁ ସ୍ଥିର ହୋଇଛି । ଅପରାହ୍ନ ଗୋଟାଏରୁ ୨ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ପାଇଁ ଶୋଭାଯାତ୍ରା ବନ୍ଦ ରହିବ । ଅନ୍ୟ ମେଢ଼ ଗୁଡ଼ିକ କୁଞ୍ଜକାନ୍ତ ପୋଖରୀ ଓ ଜେଲ୍ପୋଖରୀରେ ବିସର୍ଜନ କରିବେ । ଡିଜେକୁ ବନ୍ଦ କରାଯାଇଥିବା ବେଳେ ବ୍ୟାଣ୍ଡ ପାର୍ଟିରେ ବି ଭାଇବ୍ରେଟର୍ ଲଗାଇବା ଉପରେ କଟକଣା ଜାରି କରାଯାଇଛି । ପୁଲିସ ପକ୍ଷରୁ ଏହାର କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଜଣାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ୨୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ପ୍ରତି ୩ଟି ମେଢ଼ ପାଇଁ ଜଣେ ପୁଲିସ ଅଧିକାରୀ ଦାୟିତ୍ୱରେ ରହିବେ।