ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଦୀର୍ଘବର୍ଷ ଧରି କାଠ ଶିଳ୍ପ ସହ ଜଡ଼ିତ କାଠ କାରିଗର, କରତ କଳ ମାଲିକ ଓ ଶ୍ରମିକ, କାଠ ବ୍ୟବସାୟ ସହ ଜଡ଼ିତ ଥିବା ଶ୍ରମଜୀବୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଗଠିତ ‘ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ପରିଷଦ’ ପକ୍ଷରୁ ଏକ ସାଧାରଣ ସଭା ସୋମବାର ଦିନ ଭେନ୍ୟା ପାରାଡାଇଜ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ମଣିଭଦ୍ର ସାହୁ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ପ୍ରବୋଧ କୁମାର ପରିଡ଼ା କାଠଶିଳ୍ପ ସହ ସଂପୃକ୍ତ ବିଭିନ୍ନ ବର୍ଗର ଶ୍ରମଜୀବୀମାନଙ୍କ ବିଭିନ୍ନ ସମସ୍ୟା ସଭାରେ ଉପସ୍ଥାପିତ କରିଥିଲେ । କରତକଳଗୁଡ଼ିକୁ ସରକାରୀ ସ୍ତରରେ ବନ୍ଦ କରିଦେବା ଫଳରେ କାଠକୁ ନେଇ ଜୀବିକା ଅର୍ଜନ କରୁଥିବା ସମସ୍ତ ବର୍ଗର ଶ୍ରମଜୀବୀ ଓ ସାଧାରଣ ଜନସାଧାରଣ ବହୁ ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି । ନିଜ ବାଡ଼ିରେ ଥିବା ଗଛକୁ ଜରୁରୀ ଆବଶ୍ୟକତା ବେଳେ ଗରିବ ଲୋକଟିଏ ବିକ୍ରି କରିପାରୁନାହିଁ । ସରକାରୀ କଟକଣା ଓ କରତକଳ ବନ୍ଦ ଥିବାରୁ କେହି ପରିପକ୍ୱ ଗଛଟିଏ ବିକ୍ରି କରିପାରୁନାହିଁ । ସେହିପରି ବାଲେଶ୍ୱରରେ ମତ୍ସ୍ୟଜୀବୀମାନେ ସେମାନଙ୍କର ଡଙ୍ଗା କିମ୍ବା ଟ୍ରକ୍ ମାଲିକମାନେ କାଠ ଡଲା ନିର୍ମାଣ ଓ ମରାମତି କରିପାରୁନାହାନ୍ତି । ତେଣୁ ଏହି କାର୍ଯ୍ୟ ପାଇଁ ପଡ଼ୋଶୀ ଜିଲ୍ଲା କିମ୍ବା ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ଏହି କାର୍ଯ୍ୟରେ ନିଯୁକ୍ତ କାରିଗର ଓ ଶ୍ରମିକମାନେ ରୋଜଗାର ହରାଉଛନ୍ତି । କେତେକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି ।
ଏହି ସଭାରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ, ଶ୍ରମିକନେତା ପ୍ରେମରଂଜନ ପାତ୍ର, ପୂର୍ବତନ ଛାତ୍ରନେତା ଜଗନ୍ନାଥ ଦାସ, କାଠ କାରିଗର ସଂଘର ସଂପାଦକ ସେଖ୍ ମନସୁର ଅଲ୍ଲୀ ଓ ନିର୍ମାଣ ଶ୍ରମିକ ନେତା ଅଶୋକ ବେରା ପ୍ରମୁଖ ସାଧାରଣ ସଭାରେ ଶ୍ରମଜୀବୀମାନଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇ ଜିଲ୍ଲାପାଳ, ବନବିଭାଗ ଅଧିକାରୀ ଓ ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାର ଏହି ବର୍ଗର ପ୍ରାୟ ୨୦ ହଜାର ପରିବାରଙ୍କ ଜୀବନ ଜୀବିକାକୁ ବିଚାରକୁ ନେଇ ନିଷ୍ପତ୍ତିର ପୁନଃବିଚାର ପାଇଁ ସେମାନେ ଦାବି କରିଥିଲେ । ଏହିଭଳି କଟକଣା ଜଙ୍ଗଲ ଲୁଟେରାଙ୍କ ବିରୋଧରେ ପ୍ରୟୋଗ ନକରି ସାଧାରଣରେ ଏହି କଟକଣା ସ୍ୱାବଲମ୍ବୀ ଶ୍ରମଜୀବୀଙ୍କ ରୋଜଗାରକୁ ଛଡ଼ାଇନେଇଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ କଟକଣା ପ୍ରତ୍ୟାହାର ନହେଲେ ଜିଲ୍ଲାସ୍ତରରେ ବ୍ୟାପକ ଆନ୍ଦୋଳନପାଇଁ ଏହି ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଭାଶେଷରେ ବିଜୟ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉତ୍ତମ ତ୍ରିପାଠୀ, ମନୋରଞ୍ଜନ ପଣ୍ଡା, ଆକବର ଅଲ୍ଲୀଖାଁ ଓ ଦୀନବନ୍ଧୁ ମହାରଣା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।
July 10, 2023
0 Comment
170 Views
କାଠଶିଳ୍ପ ସହ ସଂପୃକ୍ତ ଶ୍ରମଜୀବୀଙ୍କ ଜିଲ୍ଲାସ୍ତରୀୟ ଆନ୍ଦୋଳନ ପାଇଁ ନିଷ୍ପତ୍ତି
by Editor
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଦୀର୍ଘବର୍ଷ ଧରି କାଠ ଶିଳ୍ପ ସହ ଜଡ଼ିତ କାଠ କାରିଗର, କରତ କଳ ମାଲିକ ଓ ଶ୍ରମିକ, କାଠ ବ୍ୟବସାୟ ସହ ଜଡ଼ିତ ଥିବା ଶ୍ରମଜୀବୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଗଠିତ ‘ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ପରିଷଦ’ ପକ୍ଷରୁ ଏକ ସାଧାରଣ ସଭା ସୋମବାର ଦିନ ଭେନ୍ୟା ପାରାଡାଇଜ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ମଣିଭଦ୍ର ସାହୁ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ।... Read More