ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨୩ରୁ ରାଞ୍ଚିରେ ସିରିଜ୍ର ଚତୁର୍ଥ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟ ପୂର୍ବରୁ ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ବୁମରାଙ୍କ ଉପରେ କାର୍ଯ୍ୟଭାର କମାଇବା ଉଦ୍ଦେଶ୍ୟରେ ଦଳ ପ୍ରବନ୍ଧକ ଓ ଚୟନକର୍ତ୍ତା ଏମିତି ନିଷ୍ପତ୍ତି ନେଇଛନ୍ତି। ବିସିସିଆଇ ମଙ୍ଗଳବାର ଏହାର ସୂଚନା ଦେଇଛି। ବୁମରାଙ୍କ ସ୍ଥାନରେ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଦଳରେ ସ୍ଥାନ ମିଳିଛି। କିନ୍ତୁ ଅନଫିଟ୍ କାରଣରୁ ଏଥର ମଧ୍ୟ ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି କେଏଲ ରାହୁଲ।
ବିସିସିଆଇ ପ୍ରେସ୍ ବିବୃତିରେ କହିଛି, ଯଶପ୍ରୀତ ବୁମରାଙ୍କୁ ରାଞ୍ଚି ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇଛି। ସିରିଜ୍ର ଅବଧି ଏବଂ ନିକଟ ଦିନରେ ବୁମରା ଖେଳିଥିବା କ୍ରିକେଟ୍କୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି। ମୁକେଶ କୁମାରଙ୍କୁ ରାଞ୍ଚି ଟେଷ୍ଟ ପାଇଁ ଦଳରେ ସାମିଲ୍ କରାଯାଇଛି। ଦ୍ଵିତୀୟ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କୁ ରାଜକୋଟ୍ ଟେଷ୍ଟରୁ ବାଦ୍ ଦିଆଯାଇଥିଲା। ଅନ୍ୟପଟେ ଧର୍ମଶାଳାରେ ଖେଳା ଯିବାକୁ ଥିବା ଶେଷ ଟେଷ୍ଟରେ କେଏଲ ରାହୁଲ ଖେଳିବେ କି ନାହିଁ ତାହା ତାଙ୍କ ଫିଟନେସ୍ ଉପରେ ନିର୍ଭର କରେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତ ଇଂଲଣ୍ଡ ବିପକ୍ଷରେ ୨-୧ରେ ଆଗୁଆ ରହିଛି। ବୁମରା ବର୍ତ୍ତମାନ ସିରିଜ୍ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ରହିଛନ୍ତି। ସେ ତିନୋଟି ମ୍ୟାଚ୍ରେ ୮୦.୫ ଓଭର ବୋଲିଂ କରି ୧୭ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେ ବିଶାଖାପଟନମ ଟେଷ୍ଟରେ ୯ ଓ୍ଵିକେଟ୍ ହାସଲ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, କେଏସ ଭରତ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଆର ଅଶ୍ଵିନ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ଦେବଦତ୍ତ ପାଡିକଲ୍, ମୁକେଶ କୁମାର, ମହମ୍ମଦ ସିରାଜ, ଆକାଶଦୀପ।